ଛଟେଇ ପ୍ରକ୍ରିୟାରେ ସାମିଲ ହେଲା ବୋଇଂ, ୨୦୦୦ କର୍ମଚାରୀଙ୍କୁ କରିବ ବିଦା
FILE PHOTO: A Boeing logo is seen at the company's facility in Everett, Washington, U.S. January 21, 2020. REUTERS/Lindsey Wasson
ନୂଆଦିଲ୍ଳୀ : ଛଟେଇ ପ୍ରକ୍ରିୟାରେ ସାମିଲ ହେଲା ବୋଇଂ। ବୋଇଂ ବିମାନ ନିର୍ମାଣକାରୀ କମ୍ପାନୀ ଏହାର ଫାଇନାନ୍ସ ଏବଂ ମାନବ ସମ୍ବଳ ବିଭାଗରେ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ନେଇ ଏକ ବିବୃତ୍ତିରେ କହିଛି। ତେବେ ଏପର୍ଯ୍ୟନ୍ତ ଚାକିରି ହରାଇବା ନେଇ ନୋଟିସ୍ ଦିଆଯାଇନଥିବାବେଳେ ପର୍ଯ୍ୟାୟକ୍ରମେ ଏନେଇ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି କହିଛି କମ୍ପାନୀ।
ଗତ ମାସରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କ ନିଯୁକ୍ତି କରିବା ନେଇ ଘୋଷଣା କରିଥିଲା। ଏହାପୂର୍ବରୁ ୨୦୨୨ ରେ କମ୍ପାନୀ ୧୫ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଥିଲା। ନିକଟରେ କମ୍ପାନୀ ଏହାର ହେଡକ୍ବାର୍ଟରକୁ ଆରଲିଙ୍ଗଟନ୍କୁ ସ୍ଥାନାନ୍ତର କରିଥିଲା। ୩୧ ଡିସେମ୍ବର ୨୦୨୨ ସୁଦ୍ଧା ବୋଇଂର ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୧୫୬,୦୦୦ କର୍ମଚାରୀ ରହିଛନ୍ତି । ତେବେ ଛଟେଇ ହେଉଥିବା ଚାକିରିର ଏକ ତୃତୀୟାଂଶ ଚାକିରି ଆଉଟସୋର୍ସିଂ ଟାଟା କନସଲଟେନ୍ସୀ ଇଣ୍ଡିଆକୁ ଦେବା ପାଇଁ ନିଷ୍ପତ୍ତି ନେଇଛି।
କମ୍ପାନୀ କହିଛି ଆମର କିଛି କମ୍ପାନୀ କାର୍ଯ୍ୟ ଅପେକ୍ଷାକୃତ ଅଧିକ ବଢ଼ିଛି। ଯାହାକି କମ୍ପାନୀ ପରିଚାଳନା ପାଇଁ ଜରୁରୀ ନଥିଲା ଏବଂ ଏହା ଯୋଗୁଁ ରାଜସ୍ବ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିଲା। ଫଳରେ ଏହାକୁ ସରଳୀକରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜଣେ ବରିଷ୍ଠ ନିର୍ଦେ୍ଦଶକ ଫ୍ରାଇଡମ୍ୟାନ୍। ରିପୋର୍ଟ ଅନୁଯାୟୀ, କମ୍ପାନୀର ଫାଇନାନ୍ସ ବିଭାଗରୁ ୧୫୦୦ ଏବଂ ମାନବ ସମ୍ବଳ ବିଭାଗରୁ ୪୦୦ କର୍ମଚାରୀଙ୍କ ଛଟେଇ ହୋଇପାରେ। ଯାହାକି କମ୍ପାନୀର ସମୁଦାୟ କର୍ମଚାରୀଙ୍କ ୧୫ %।
