ବାଲେଶ୍ୱର : ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ଜିଲା ଅବକାରୀ ଅଧୀକ୍ଷକ ଏସ୍. କେ. ଆସଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶରେ ଗୁରୁବାର ମଧ୍ୟାହ୍ନରେ ୧୬ନଂ. ଜାତୀୟ ରାଜପଥର ଶେରଗଡ଼ ସ୍ଥିତ ଗଉଡୁଣୀ ପୋଖରୀ ନିକଟରେ ଏକ ୧୦ଚକିଆ ଟ୍ରକ୍ (ନଂ. ଓଆର୍୧୫ଆର୍-୩୫୨୨) ଉପରେ ଚଢ଼ାଉ କରାଯାଇଥିଲା । ଉକ୍ତ ଟ୍ରକ୍ରୁ ୨କୁଇଣ୍ଟାଲ ୫୦କିଲୋ ଗଞ୍ଜେଇ ବେଆଇନ୍ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ଗଞ୍ଜେଇଗୁଡ଼ିକ ୯ଟି ବୁରାରେ ୧୦୮ଟି ପ୍ୟାକେଟ୍ ହୋଇ ଭର୍ତ୍ତି କରାଯାଇଥିଲା । ଗଞ୍ଜେଇଗୁଡ଼ିକୁ ଜବତ କରାଯିବା ସହ ଟ୍ରକ୍ର ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରାଯାଇ ଟ୍ରକ୍ଟିକୁ ସିଜ୍ କରାଯାଇଛି ।
ମିଳିଥିବା ସୂଚନାଅନୁସାରେ, ଉକ୍ତ ଟ୍ରକ୍ଟି ଅନୁଗୁଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପଶ୍ଚିମବଙ୍ଗର କଲିକତାକୁ ଆଳୁ ଆଣିବା ପାଇଁ ଯାଉଥିବା ବେଳେ ଟ୍ରକ୍ ବାବଦରେ ବୁଝାବୁଝି କରୁଥିବା ସତ୍ୟରଞ୍ଜନ ମାଝି (୩୦)ଙ୍କ କହିବା ଅନୁସାରେ ଉକ୍ତ ଗଞ୍ଜେଇକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ବର୍ଡ଼ରରେ ଦେବା ପାଇଁ ନିଆଯାଉଥିବାର ଡ୍ରାଇଭର ପ୍ରକାଶ କରିଛି । ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଉକ୍ତ ଟ୍ରକ୍ରୁ ୨କୁଇଣ୍ଟାଲ ୫୦କିଲୋ ଗଞ୍ଜେଇ ଜବତ (ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା) କରିବା ସହ ଡ୍ରାଇଭର ଆଠମଲ୍ଲିକ ଅଞ୍ଚଳର ନରେନ୍ଦ୍ର ବେହେରା (୩୨) ଓ ହେଲପର କୁନା ବିଶ୍ୱାଳ (୩୫)ଙ୍କୁ ଗିରଫ କରାଯାଇଛି । ଏନେଇ ଅବକାରୀ ବିଭାଗ ଭ୍ରାମ୍ୟମାଣ ଥାନା ମାମଲା (ନଂ. ୨୫ ।୨୧-୨୨) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଚଢ଼ାଉରେ ସଦର ଅବକାରୀ ଓଆଇସି କୁଳମଣି ମହାରଣା, ଏଏସ୍ଆଇ ଅଞ୍ଜନ କୁମାର ଜେନା, ଏଏସ୍ଆଇ ଭାସ୍କର ବେହେରା, କନେଷ୍ଟବଳ ସନ୍ତୋଷ କୁମାର ବେହେରା, ଶଶିକାନ୍ତ ସାହୁ, ବିଦ୍ୟାଧର ବିନ୍ଧାଣୀ, ଧୀରେନ୍ଦ୍ର ସିଂ, ଚିତ୍ତରଞ୍ଜନ ରାଉତ, ମହିଳା କନେଷ୍ଟବଳ ରଶ୍ମିରେଖା ପାତ୍ର ଓ ନହଲ ମୁର୍ମୁ ପ୍ରମୁଖ ସାମିଲ ଥିବାର ମୋବାଇଲ ଥାନା ଅଧିକାରୀ ଗାଲୁରାମ ସୋରେନ ପ୍ରକାଶ କରିଛନ୍ତି ।ବାଲେଶ୍ୱର :
