ଜଷ୍ଟିସ ଜେପି ଦାସ ଙ୍କୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା ଆଶା ରଖୁଛି କ୍ରାଇମବ୍ରାଂଚ ଘଟଣାର ମୂଳ ଯାଏ ଯିବ- ଜଷ୍ଟିସ ଦାସ
ଭୁବନେଶ୍ୱର : ଏଡିଜି ଅରୁଣ ବୋଥ୍ରା ଶନିବାର ଦିନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ କଟକ ସିଡିଏସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣା ପଡିଛି । ଆଲୋଚନା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସ କହିଛନ୍ତି ଯେ କ୍ରାଇମବ୍ରାଂଚ୍ ଯାହା ତଦନ୍ତ କରିଛି, ସେ ନେଇ ଏଡିଜି ବୋଥ୍ରା ମୋ ସହ ଆଲୋଚନା କରିଛନ୍ତି । ଆଉ ଯେଉଁ ଦିଗକୁ ତଦନ୍ତ କରିବାର ଆବଶ୍ୟକ ତା ଅଛି ତାହା ମୁଁ ତାଙ୍କୁ କହିଛି । ଖୁବ୍ ଶୀଘ୍ର ଘଟଣାସ୍ଥଳକୁ ନିଜେ ଯିବେ । ଆଶା ରଖୁଛି କ୍ରାଇମବ୍ରାଂଚ୍ ଘଟଣାର ମୂଳ ଯାଏ ଯିବ । ଜଷ୍ଟିସ ଜେପି ଦାସ ଝାରସୁଗୁଡାରେ ହୋଇଥିବା ମନ୍ତ୍ରୀଙ୍କ ମୃତ୍ୟୁର ଘଟଣାସ୍ଥଳକୁ ଯାଇ ତଦନ୍ତର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର, କ୍ରାଇମବ୍ରାଂଚକୁ ଦାୟିତ୍ୱ ଦେଇଥିଲେ । ଏହା ସହ ତଦନ୍ତର ତଦାରଖ କରିବା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ । ଏହାପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଦାୟିତ୍ୱ ଦେଇଥିଲେ ହାଇକୋର୍ଟ ।
