ଗ୍ରାହକଙ୍କୁ ଆଶ୍ବସ୍ତି ! ଘରୋଇ ଓ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ
ନୂଆଦିଲ୍ଲୀ : ଆଜି ଫେବୃଆରୀ ପହିଲା । ବୁଧବାର ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଛନ୍ତି । ଘରୋଇ ଓ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଓ ଘରୋଇ ଏଲପିଜି ସିରିଣ୍ଡର ଦର ସ୍ଥିର ରହିଛି ।
ଏଠାରେ କହି ରଖୁଛୁ ଯେ, ଜାନୁଆରୀ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜିର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ପୁରୁଣା ଦର ୧୭୬୯ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ସେହି ସମାନ ଦରରେ ମିଳିବ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ସେହିପରି ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର ସ୍ଥିର ରହିଛି । ନଭେମ୍ୱର ଠାରୁ ଗତ ୬ ଥର ଲଗାତର ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଦେଖାଯାଇଥିଲା ।
ଶେଷ ଥର ପାଇଁ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି ।
