ଧାନବାଦ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ମୃତକଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ଘୋଷଣା
ଧାନବାଦ : ଝାଡ଼ଖଣ୍ଡର ଧାନବାଦରେ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି । ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଥିବା ଜଣାପଡିଛି। ସେହିପରି ୧୨ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି କହିଛନ୍ତି ଯେ, ଧାନବାଦରେ ଘଟିଥିବା ଅଗ୍ନିକାଣ୍ଡରେ ମୁଁ ଦୁଃଖିତ। ମୁଁ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବାର ଘୋଷଣା କରିଛନ୍ତି ।
ସୂଚନା ଯେ, ଗତ ମଙ୍ଗଳବାର ରାତିରେ ଧାନବାଦ ସହରର ଜୋଡାଫାଟକ ଆର୍ଶୀବାଦ ଟାୱାରରେ ବିବାହ ଉତ୍ସବ ଚାଲିଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ବିବାହ ଭୋଜିରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ନିଆଁ ଲାଗିଯିବା ପରେ ଲୋକେ ବାହାରକୁ ବାହାରି ପାରିନଥିଲେ। ଫଳରେ ଦଳାଚକଟାରେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଚଳାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୋଟିଏ ସିଲିଣ୍ଡର ଫାଟି ଯିବାରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବୀତ କରାଯାଇଛି। ଆହତ ବ୍ୟକ୍ତିଙ୍କ ଉଦ୍ଧାର ପରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
