ରାସ୍ତା ଓ ଡ୍ରେନ ନିର୍ମାଣ ଦାବିରେ ଔପଦା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା
ଔପଦା : ଔପଦାରୁ ରଙ୍ଗାମାଠିଆ ପର୍ଯ୍ୟନ୍ତ ନିର୍ମାଣଧୀନ ଆରଡ଼ି ରାସ୍ତାର କଲରାପାଳ ଗ୍ରାମ ଠାରୁ ପାଟପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବନ୍ଦ ଥିବାରୁ ସ୍ଥାନୀୟ ଗ୍ରାମର ମହିଳାମାନେ ରାସ୍ତା ସହ ଡ୍ରେନ ନିର୍ମାଣ ଦାବିରେ ଔପଦା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ତହସିଲ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ମହିଳା ମାନେ ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କ ଠାରୁ ସରକାରୀ ଜାଗା ଉଛେଦ କରି ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଠାରେ ଦାବି କରାଯାଇଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଶେଷରେ ଏହି ଧାରଣା ଦିଆଗଲା ବୋଲି ଧାରଣାକାରୀଙ୍କ ପକ୍ଷରୁ କୁହାଯାଇଛି । କାର୍ଯ୍ୟାଳୟ ଆଗରେ ଧାରଣାକୁ ନେଇ ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଯାଇନପାରିବାରୁ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ଜଣାଯାଇଛି । ଧାରଣାକାରୀମାନେ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ ଜବରଦଖଲ ଥିବା ସରକାରୀ ଜମିକୁ ଉଛେଦ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଅଡ଼ିବସି ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଦେଖାଯାଇଥିଲା । ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଓ ତହସିଲଦାର ଶ୍ରୀ ମଲ୍ଲିକଙ୍କ ମଧ୍ୟରେ ଆଲୋଚନା ପରେ ଧାରଣାକାରୀମାନଙ୍କୁ ୨ ପ୍ରଶାସନ ଅଧିକାରୀ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
