ଆବାସ ଅନିୟମିତତା ଅଭିଯୋଗ; ଡେଲାଙ୍ଗରେ ଧାରଣା ଓ ପ୍ରତିବାଦ ସଭା
ଡେଲାଙ୍ଗ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଡେଲାଙ୍ଗ-ପିପିଲି ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଛି।
ମଞ୍ଚ ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ହାଟ ଡେଲାଙ୍ଗ ଠାରୁ ଏକ ପଦଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।ପରେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ସହିତ ଫନି କ୍ଷତିଗ୍ରସ୍ତଙ୍କୁ ଯୋଜନାରେ ସାମିଲ କରିନଥିବାରୁ ଅନିୟମିତତା ବିରୁଦ୍ଧରେ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିବା ସହିତ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା।ତେଣୁ ଚୟନ ହୋଇଥିବା ହିତାଧିକାରୀ ତାଲିକାକୁ ୧୫ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖି ଏଥିରେ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଡେଲାଙ୍ଗ ଅତିରିକ୍ତ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା।ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ବରୋଧୀ ଦଳ ଏଠାରେ ଚୁପ ବସିଥିବା ବେଳେ ଆଗାମୀ ଦିନରେ ପ୍ରଶାସନ ଯଦି ଦାବୀ ପୂରଣ ନକରେ ତେବେ ଜିଲାପାଳ ଅଫିସ ଘେରାଉ କରାଯିବ ବୋଲି ମଞ୍ଚ ସଭାପତି ରାଧାମୋହନ କହିଛନ୍ତି।ଶେଷରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶପୁତଳିକା ଦାହ କରିଛି ।
