ନାବାଳିକା ଦୁଷ୍କର୍ମ ମାମଲା : ଉତର ପ୍ରଦେଶର ଫେରିବାଲାକୁ ୧୦ ବର୍ଷ ଜେଲ୍ ଓ ଜରିମାନା
କନ୍ଧମାଳ : ଫୁଲବାଣୀ ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପିଡିତାଙ୍କ ବୟାନ ଆଧାରରେ ଆଜି ମାମଲାର ଅଭିଯୁକ୍ତ ବସିର ଶାହାକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦେଢବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ନିର୍ଦେଶ ଦେଇଛନ୍ତି ବିଚାରପତି । ଏଥିସହ ପୀଡିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ପ୍ରଦାନ ପାଇଁ ଜିଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ମାମଲାକୁ ପିଡିତାଙ୍କ ପକ୍ଷରୁ ପି.ପି. ଅସୀମ ପ୍ରହରାଜ ପରିଚାଳନା କରିଥିଲେ । ଘଟଣା ଅନୁସାରେ, କନ୍ଧମାଳର ଏକ ଗ୍ରାମାଚଂଳରେ ଅଭିଯୁକ୍ତ ଉତର ପ୍ରଦେଶ ଅଂଚଳର ବସିର ଶାହା ପାଲ ବିକ୍ରୀ କରୁଥିଲା । ସେହି ଅଂଚଳରେ ପିଡିତା ଘରକୁ ଯାଇ ପାଲ କିଣିବା ପାଇଁ କହିଥିଲା । ପିଡିତା ଘରେ କେହି ନାହାନ୍ତି ବୋଲି କହିବା ସହିତ ପାଲ କିଣିବାକୁ ମନା କରିଥିଲା । ଘରେ ପିଡିତା ଏକୁଟିଆ ଥିବା ସୁଯୋଗରେ ପିଇବା ପାଇଁ ପାଣି ମାଗି ଥିଲା ଅଭିଯୁକ୍ତ । ପିଡିତା ପାଣି ଆଣିବାକୁ ଯିବାବେଳେ ବସିର ଜୋରଜବରଦସ୍ତ ପିଡିତାଙ୍କ ଘରେ ପଶି ତା ସହିତ ଦୁଷ୍କର୍ମ କରିଥିଲା । ଖବର ପାଇ ଗାଁ ଲୋକେ ଅଭିଯୁକ୍ତକୁ କାବୁ କରି ଫିରିଙ୍ଗିଆ ଥାନା ପୋଲିସ ଜିମାରେ ଦେବା ସହ ଏ ସଂକ୍ରାନ୍ତରେ ଥାନାରେ ଏକ ଅଭିଯୋଗ କରିଥିଲେ ପୀଡିତାର ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି ବିଚାରପତି ।
