ପ୍ରେସ୍ ଇସ୍ତାହାର ଆଞ୍ଚଳିକ ଶିକ୍ଷ। ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦ ୧୦ମ ବାର୍ଷିକ ସମ୍ମିଳନୀରେ ନ୍ୟାକ୍ ପରିଦର୍ଶନରେ ସହଯୋଗ ପାଇଁ ପ୍ରତିବଦ୍ଧତାର ଘୋଷଣା
ଭୁବନେଶ୍ୱର : ଏନ୍.ସି.ଇ.ଆର୍.ଟି. ପରିଚାଳିତ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦର ୧୦ମ ବାର୍ଷିକ ସମ୍ମିଳନୀ ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ସଭାପତି ଦୁର୍ଯ୍ୟୋଧନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସବିତାପ୍ରଭା ପଟ୍ଟନାୟକ ଓ ବର୍ତ୍ତମାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ସମ୍ମିଳନୀକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟିତ କରିବା ସହ ପୁରାତନ ଛାତ୍ରମାନେ ନିଜର ଏହି ମାତୃ ଶିକ୍ଷାକେନ୍ଦ୍ରକୁ ସବୁମତେ ସାହଯ୍ୟ ସହଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସମଗ୍ର ପୂର୍ବ ଭାରତ ବ୍ୟାପି ରହିଥିବାରୁ ଆଜି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ଆଦି ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ନିଜ କୈଶୋରର ଏହି ଶିକ୍ଷାନୁଷ୍ଠାନ ମୋହରେ ଆଜି ପରିଣତ ବୟସରେ ମଧ୍ୟ ଅନେକ ବୟସ୍କ, ବୟସ୍କା ନିଜ ପିଲାମାନଙ୍କ ସହ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ନିଜ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ, ତଥା ବିଶେଷ କରି ସମ୍ପ୍ରତି ନ୍ୟାକ୍ ପରିଦର୍ଶନ ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀ ସବୁମତେ ସାହାଯ୍ୟ ଦାନ କରି ଏହି ଅନୁଷ୍ଠାନ ପାଇଁ ଏକ ଉଚ୍ଚମାନର ସ୍ୱୀକୃତି ଅର୍ଜନ କରିବାକୁ ପ୍ରତିବଦ୍ଧତା ଘୋଷଣା କରିଛନ୍ତି । ସଂସଦର କର୍ମକର୍ତ୍ତା ହିସାବରେ ଆଗାମୀ ଦୁଇ ବର୍ଷ ପାଇଁ ଡଃ. ହାଡ଼ିବନ୍ଧୁ ପଟ୍ଟନାୟକ ସଭାପତି, ରମେଶ ଚନ୍ଦ୍ର ପାତାଳ ସିଂହ ଉପସଭାପତି, ଅଧ୍ୟାପକ ସହଦେବ ମଲ୍ଲିକ ସମ୍ପାଦକ, କୈଳାସ ଚନ୍ଦ୍ର ମହାପାତ୍ର ଯୁଗ୍ମ ସମ୍ପାଦକ, ହରିପ୍ରିୟା ପଟ୍ଟନାୟକ ସାଙ୍ଗଠନିକ ସମ୍ପାଦକ, ବିଜୟ କୁମାର ରାଉତ କୋଷାଧ୍ୟକ୍ଷ, ପ୍ରତାପ ଚନ୍ଦ୍ର ନାୟକ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସର୍ବଶେଷରେ ବରିଷ୍ଠ ସଭ୍ୟ ସତ୍ୟବ୍ରତ କର ଅନୁଷ୍ଠାନର ଅବସରପ୍ରାପ୍ତ ପ୍ରଫେସରମାନଙ୍କର ସହଯୋଗ ଓ ଉପସ୍ଥିତି, ନିମନ୍ତ୍ରିତ ଅତିଥିବୃନ୍ଦ, ସଂଗଠନର କର୍ମକର୍ତ୍ତା, ସଭ୍ୟ, ସଭ୍ୟାମାନେ ଉକ୍ତ ସମ୍ମିଳନୀରେ ଯୋଗଦେଇ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ବିଦାୟୀ ଉପସଭାପତି ଚକ୍ରଧର ଦାଶ, ସଂଯୁକ୍ତା ଦାଶ ସକ୍ରିୟ ସହଯୋଗ କରିଥିଲେ ।
