ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ଘଟଣା : ଏଏସଆଇଙ୍କ ବିରୋଧରେ ଏତଲା ଦେଲେ ଆଇଆଇସି
ଝାରସୁଗୁଡ଼ା : ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦାୟର କରିଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ । ହତ୍ୟା ଉଦ୍ଦେଶ୍ୟରେ ନବ କିଶୋର ଦାସଙ୍କୁ ଗୁଳି ଚଳାଇଥିଲେ ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ । ଏତଲା ଅନୁସାରେ ଏଏସଆଇ ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଯାଇ ସର୍ଭିସ ରିଭଲଭରରୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ । ଗୁଳି ସିଧା ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଜେରା କରାଯାଉଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ଗୁଳି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଯେ, ରବିବାର ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ନିଜ ସମର୍ଥକଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଗାନ୍ଧି ଛକ ଫାଣ୍ଡିରେ ନିୟୋଜିତ ଥିବା ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ହଠାତ୍ ମନ୍ତ୍ରୀଙ୍କ ଗାଡି ପାଖକୁ ଆସିଥିଲେ । ସମସ୍ତଙ୍କ ସହ ଭଲରେ କଥା ମଧ୍ୟ ହେଉଥିଲେ । ହେଲେ ହଠାତ୍ ବନ୍ଧୁକ କାଢି କିଛି ଦୂରରେ ରହିଛି ନବ ଦାସଙ୍କୁ ଗୁଳି କରିଥିଲେ । ଗୁଳିମାଡ ପରେ ନବ ଦାସ୍ ଘଟଣାସ୍ଥଳରେ ଟଳିପଡିଥିଲେ ।
ଏହାପରେ ସମର୍ଥକ ଓ ସୁରକ୍ଷାକର୍ମୀମାନେ ନବ ଦାସଙ୍କୁ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବି ବଞ୍ଚିପାରିନଥିଲେ ନବ ଦାସ ।
ଏହି ହତ୍ୟାକାଣ୍ଡ ପଛରେ କାରଣ ଖୋଜିବାରେ ଲାଗିପଡିଛି କ୍ରାଇମବ୍ରାଞ୍ଚ । ଜଣେ ପୁଲିସ ଏଏସ୍ଆଇ କେଉଁ କାରଣରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଆଗେଇ ଗଲେ । ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା ଚାଲିଛି । ଏହି ଘଟଣା ପାଇଁ ସଂପୃକ୍ତ ପୁଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସ କାହାରିଠୁ ସୁପାରି ନେଇଥିଲେ ନା ତାଙ୍କର ବ୍ୟକ୍ତିଗତ ରାଗ ଥିଲା ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି ।
ତେବେ ସଂପୃକ୍ତ ପୁଲିସ୍ ଏଏସ୍ଆଇ ଗାନ୍ଧୀଛକ ଫାଣ୍ଡିରେ ପ୍ରାୟ ଦୁଇ ବର୍ଷ ହେବ ଫାଣ୍ଡି ଅଧିକାରୀ ରହିଥିଲେ । ପୂର୍ବରୁ ସେ ବଡ଼ମାଲ ଥାନା, କୋଲାବିରା ଥାନା, ଝାରସୁଗୁଡ଼ା ଥାନା ଆଦିରେ କାର୍ଯ୍ୟ କରିସାରିଛନ୍ତି । ଯଦିଓ ସେ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କର ପତ୍ନୀ ଗୁଳିକାଣ୍ଡ ଘଟଣା ପରେ ଗଣମାଧ୍ୟମକୁ କହିଛନ୍ତି, ହେଲେ ତାଙ୍କର କାର୍ଯ୍ୟକଳାପରୁ ସେଭଳି କିଛି ଲକ୍ଷଣ ସାଧାରଣ ଲୋକେ ଜାଣି ପାରୁ ନ ଥିଲେ । ସେ ଅନ୍ୟମାନଙ୍କ ପରି ସ୍ୱାଭାବିକ ବ୍ୟବହାର ଦେଉଥିଲେ ।
ରବିବାର ଦିନ ଅପରାହ୍ନରେ ନିଜ ଝିଅଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ । ସେ ସ୍ୱାଭାବିକ ଭାବେ କଥାବାର୍ତ୍ତା ହୋଇଥିଲେ । ଆଉ ତାଙ୍କ ଭିତରେ କୌଣସି ପ୍ରକାର ମାନସିକ ଚାପ ସେମାନେ ଦେଖିବାକୁ ପାଇ ନ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । କେଉଁ କାରଣରୁ ଲୋକଙ୍କ ଭିଡ଼ ଭିତରେ ହତ୍ୟା କରିବାର ଦୁଃସାହାସ କଲେ ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ରାଗ ନା ସେ କାହାରିଠାରୁ ମୋଟା ରକମ ନେଇ ସୁପାରି କିଲର ଭାବେ ଏହି କାଣ୍ଡ ଭିଆଇଥିଲେ କି ?
