ଗୁଜରାତ ପରିଦର୍ଶନ କରିବାକୁ ଯାଉଥିବା ଓଡିଶା ଚିନାବାଦାମ ଚାଷୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର କୃଷିକ୍ଷେତ୍ରକୁ ଏକ ନୂଆ ସୋପାନକୁ ନିଅନ୍ତୁ ଚାଷୀ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜରାତ ପରିଦର୍ଶନ କରିବାକୁ ଯାଉଥିବା ଓଡିଶା ଚିନାବାଦାମ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟର ଅ଼ଡିଟରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଚାଷୀଙ୍କ ସହ କଥାବାର୍ତା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ମଡେଲ୍ ବିଶ୍ୱ ପାଇଁ ଏକ ଉଦାହରଣ । ଏହି ପରିପ୍ରେକ୍ଷୀରେ ସେହି ଗୁଜରାଟ ମଡେଲ ଦେଖିବା ପାଇଁ ଓଡ଼ିଶାର ଚିନାବାଦାମ ଚାଷୀମାନେ ଗୁଜରାଟ ଗସ୍ତ କରିବା ପ୍ରଶଂସନୀୟ । ଏ ଅବସରରେ ଚାଷୀ ଭାଇ ଭଉଣୀ ମାନଙ୍କ ସହ ଆଲୋଚନା କରି ସେ ଆନନ୍ଦିତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହା ଦ୍ୱାରା ଓଡ଼ିଶାର ଚାଷୀ ଏଣିକି ଆହୁରି କୁଶଳୀ ହେବେ । ସେମାନଙ୍କ ଗୁଜରାଟ ଗସ୍ତର ଆୟୋଜନ କରିଥିବାରୁ ଲାଇଭଲିହୁଡ ଅଲଟରନେଟିଭ ସଂସ୍ଥା ଓ ଏହାର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଚିନାବାଦାମ ଭଳି ଓଡ଼ିଶାର ଅନେକ କୃଷିଜାତ ଦ୍ରବ୍ୟ ଗୁଣାତ୍ମକ ଦୃଷ୍ଟିରୁ ଅତ୍ୟନ୍ତ ଉଚ୍ଚକୋଟୀର, ତାହା ପୁଣି ଅର୍ଗାନିକ ଏବଂ ସ୍ୱାଭାବିକ ପଦ୍ଧତିରେ ଉତ୍ପାଦିତ ହେଉଛି । ଏବେ ଏହି କୃଷି ପଦ୍ଧତିକୁ ବ୍ୟବସାୟିକ ସଫଳତା ଦେବାର ଆବଶ୍ୟକତା ବେଶ୍ ରହିଛି । ଚାଷୀ ଭାଇ ଭଉଣୀ ମାନଙ୍କ ଗୁଜୁରାଟ ଗସ୍ତର ସଫଳତା କାମନା କରିବା ସହ ସେମାନେ ଆଧୁନିକ କୃଷି ପ୍ରଣାଳୀମାନ ଶିଖି ଓଡ଼ିଶାରେ ପ୍ରୟୋଗ କରନ୍ତୁ, ଓଡ଼ିଶାର କୃଷିକ୍ଷେତ୍ରକୁ ଏକ ନୂଆ ସୋପାନକୁ ନେଇଯାଆନ୍ତୁ ବୋଲି ସେ କହିଛନ୍ତି ।
