୨ ଦିନିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜନଜାତି ସଂପ୍ରଦାୟଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ମୋଦି ସରକାର : ସମୀର ମହାନ୍ତିି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅନୁସୂଚିତ ଜନଜାତି ବଂଚିତ ହୋଇଛନ୍ତି । ଯେଉଁ ମୟୂରଭଞ୍ଜବାସୀ ମୋଦିଙ୍କ ଯୋଜନା ତଥା ଆବାସ ଯୋଜନାରୁ ବଂଚିତ ଅଛନ୍ତି ସେମାନଙ୍କୁ ନ୍ୟାୟ ଦେବାକୁ ଭାରତୀୟ ଜନତା ପାର୍ଟି ଆଗାମୀ ୩୧ତାରିଖ ଦିନ ଆନ୍ଦୋଳନ କରିବ । ମୋଦି ସରକାର ସର୍ବଦା ଜନଜାତି ସଂପ୍ରଦାୟଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲାକୁ ୨ଦିନିଆ ଗସ୍ତରେ ଯାଇ ଜିଲ୍ଲାର କାର୍ଯ୍ୟକାରିଣୀ ଓ ମଣ୍ଡଳ ପ୍ରବାସ ବୈଠକରେ ଯୋଗ ଦେଇଛନ୍ତି । ପଶ୍ଚିମ ମୟୂରଭଞ୍ଜ (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା)ର ବିଶୋଇରେ ହେଉଥିବା ଜିଲ୍ଲା କାର୍ଯ୍ୟକାରିଣୀରେ ଶ୍ରୀ ମହାନ୍ତି ଯୋଗ ଦେଇ କହିଛନ୍ତି ଯେ, ସଂଗଠନକୁ ସୁଦୃଢ଼ କରିବା ସହ ସାମ୍ବିଧାନିକ ପକ୍ରିୟା ଲାଗି ରାଷ୍ଟ୍ରୀୟ, ପ୍ରଦେଶ, ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟକାରିଣୀ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ଆସନ୍ତା ଫେବୃୟାରୀ ୫ତାରିଖ ସୁଦ୍ଧା ଶେଷ ହେବ । ଏହି କାର୍ଯ୍ୟକାରିଣୀରେ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକାରିଣୀରେ ସମସ୍ତ ବିଧାୟକ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ । ଏହାପରେ ମୟୂରଭଞ୍ଜ ଜିଲ୍ଲାର ପଣ୍ଡୁପାଣିର ୬୩ତମ ଖେଳକୁଦ ପ୍ରତିଯୋଗିତାରେ ଶ୍ରୀ ମହାନ୍ତି ଅଂଶ ଗ୍ରହଣ କରିଥିଲେ । ଶ୍ରୀ ମହାନ୍ତି ଜନଜାତି ସମୁଦାୟର ସଂସ୍କୃତି, ଐତିହ୍ୟ ଓ ପରମ୍ପରା, ଲୋକଙ୍କର ବଂଚିବାର ଜୀବନ ଶୈଳୀ ସମଗ୍ର ବିଶ୍ୱରେ ଅଦିତ୍ୱୀୟ ବୋଲି କହିଛନ୍ତି । ମୟୂରଭଞ୍ଜ ଉତ୍ସବର ଲକ୍ଷ୍ୟ ହେଲା ନାଚ, ଗୀତରେ ଜୀବନର କିଛି ସମୟକୁ ମନଭରି ଉପଭୋଗ କରିବା ଏବଂ ପ୍ରକୃତିର ତାଳେ ତାଳେ ନିଜକୁ ମସଗୁଲ କରିବା । ଯାହାକୁ ଠିକ୍ ରୂପେ ପ୍ରଧାନମନ୍ତ୍ରୀ ମୋଦି ଚିହ୍ନି ପାରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାକୁ ମର୍ମେ ମର୍ମେ ଅନୁଭବ କରି ବାହକ ଏବଂ ପ୍ରତିନିଧିଭାବେ ଭାରତ ବର୍ଷର ସର୍ବଚ୍ଚ ସ୍ଥାନରେ ଆମର ପ୍ରିୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଅବସ୍ଥାପିତ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
