ପ୍ରତିଶ୍ରୁତି ପ୍ରତିଷ୍ଠାନର ବହୁଭାଷୀ କବି ସମ୍ମିଳନୀ ଓ ସାରସ୍ୱତ ସମାରୋହ
ବାରିପଦା : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ବହୁଭାଷୀ କବି ସମ୍ମିଳନୀ ଓ ସାରସ୍ୱତ ସମାରୋହ ବିଶିଷ୍ଟ କବି ତଥା ଆଧ୍ୟାତ୍ମିକ ପ୍ରବାଚକ ଭାଗବତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଓ ସୁଗାଳ୍ପିକା ବିଜୟଲକ୍ଷ୍ମୀ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଓଡିଆ ଜାଗରଣ ମର ପ୍ରତିଷ୍ଠାତା ଶରତଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ. ବେଶ୍ରା ତାଙ୍କ ଅଭିଭାଷଣରେ ପ୍ରତିଶ୍ରୁତି ପ୍ରତିଷ୍ଠାନର ଏହା ଏକ ନିଆରା କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ କରି ସାହିତ୍ୟ ସବୁବେଳେ ସମାଜର ବିଭିନ୍ନ ଭାଷାଭାଷୀ ନିର୍ବିଶେଷରେ ସମସ୍ତଙ୍କୁ ଏକାଠିକରି ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ମହାନ୍ତି ପ୍ରତିଶ୍ରୁତି ପ୍ରତିଷ୍ଠାନ ଦୀର୍ଘ ଚାରିଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ପ୍ରତିଶ୍ରୁତି ସାହିତ୍ୟ ପତ୍ରିକା ପ୍ରକାଶ କରି ସାହିତ୍ୟିକମାନଙ୍କ ଭିତରେ ସଦ୍ଭାବ ପ୍ରତିଷ୍ଠା ସହ ସେମାନଙ୍କର ସୃଷ୍ଟିକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାର ପ୍ରଚେଷ୍ଟା କରିବା ପ୍ରଶଂସା ଯୋଗ୍ୟ ବୋଲି ଉଲ୍ଲେଖ କରିଥିଲେ । ସଭାପତି ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ଦେଇ ସାହିତ୍ୟର ସେବା ସମାଜର ସେବା, ସାହିତ୍ୟର ସେବା ମାନବର ସେବା ଓ ସାହିତ୍ୟର ସେବା ମାଧବର ସେବା ବୋଲି କହି ଭାରତର ସର୍ବପ୍ରାଚୀନ ସାହିତ୍ୟ, ବେଦ, ଉପନିଷଦ ଓ ପୁରାଣ ପ୍ରଭୃତି କିପରି ମଣିଷ ଭିତରେ ମଣିଷପଣିଆର ଉଦ୍ରେକ ପାଇଁ ଅଭିପ୍ରେତ ବୋଲି ଉଲ୍ଲେଖ କରି ଶ୍ରୀମଦ୍ ଭଗବତ ଗୀତାର ସାହିତ୍ୟିକ ମାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପରେ କବୟିତ୍ରୀ ସୁଧାମୟୀ ଦାସଙ୍କ ସଂଯୋଜନାରେ ଓଡିଆ, ହିନ୍ଦୀ, ଇଂରାଜୀ, ସାନ୍ତାଳୀ, ହୋ ଓ ମୁଣ୍ଡାରୀ ପ୍ରଭୃତି ବିଭିନ୍ନ ଭାଷାରେ ରଚିତ କବିତାଗୁଡିକ କବିମାନେ ପାଠ କରିଥିଲେ । ଏହି ପାଠୋତ୍ସବରେ ମୁଖ୍ୟ ଅତିଥି ଡ. ବେଶ୍ରା ସାନ୍ତାଳୀ ଭାଷାରେ ଲିଖିତ କବିତା (ପୁନର୍ଜନ୍ମ) ପାଠ କରିଥିବାବେଳେ ଜ୍ୟୋତିଷଚନ୍ଦ୍ର ମହାପାତ୍ର, ନନ୍ଦଲାଲ ସିଂ, ଡାଃ ଦୀପଙ୍କର ମିଶ୍ର, ଭଗବତୀ ଦାଶ, ଅଜିତ କୁମାର କବାଟ, ନରସିଂହ ବାରିକ, ଅଜିତ କୁମାର ପାଣିଗ୍ରାହୀ, ଅଜୟ କୁମାର ପାଳ, ହିମାଂଶୁ ଶେଖର ଦାସ, ଗୋବିନ୍ଦ ଚନ୍ଦ୍ର ମାଝୀ, ମାଙ୍ଗାତ୍ ମୁର୍ମୁ, ବୁଧୁ ସିଂ, ହାଜାମ୍ ବାସ୍କେ, ଗୀତାରାଣୀ ସାହୁ, ବିରଜା ଦେବୀ, ବିଜୟ କୁମାର ମହାନ୍ତି, ଯତୀନ୍ଦ୍ରନାଥ ବାସ୍କେ, ପୁକୁନୁ ମୁର୍ମୁ, ପ୍ରଦୀପ କୁମାର ନାୟକ, ଅଧ୍ୟାପକ ରାଜେନ୍ଦ୍ର ସାମଲ, ପ୍ରବୀର କୁମାର ଘୋଷ, କାବେରୀ ମିଶ୍ର, ଶିରାମ ଟୁଡୁ, ଧନେଶ୍ୱର ପଣ୍ଡା, ଅଧ୍ୟାପକ ଦଳଗୋବିନ୍ଦ ମହାନ୍ତ, ଅଶୋକ କୁମାର ପଲେଇ, ଡ. କବିତା ନନ୍ଦ, ଦୀପ୍ତି ମିଶ୍ର, ସବିତାରାଣୀ ଶୀଟ୍, ଶେଖ୍ ଜିକ୍ରୁଲ୍ଲା, ଯତୀନ୍ଦ୍ର ନାଥ ସାହୁ, ଅଜମ୍ବର ପୃଷ୍ଟି, ଜୟନ୍ତ କୁମାର ଦ୍ୱାରୀ, ପଦ୍ମନାଭ ସାହୁ, ସୁଧାମୟୀ ଦାସ ପ୍ରମୁଖ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. କୈଳାସ ଚନ୍ଦ୍ର ମହାନ୍ତି, ଦୋଳଗୋବିନ୍ଦ ଦାଶ, ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ମଧୁମିତା ନନ୍ଦ, ଅଚ୍ୟୁତ ପ୍ରସାଦ ମହାପାତ୍ର, ସମ୍ବିତ କୁମାର ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ସରସ୍ୱତୀ ବନ୍ଦନା ଗାନ କରିଥିବାବେଳେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
