ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ‘ଯୁଗଶ୍ରୀ ଟ୍ରଷ୍ଟ’ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଆୟୋଜିତ ସଭାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ ବିକାଶ, ଯୁଦ୍ଧ ଓ ସାମାଜିକ ସନ୍ତୁଳନ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ । ମଣିଷ ଜୀବନର ମଙ୍ଗଳ ଖୋଜି, ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ବିଜ୍ଞାନ ବିକାଶର ଏକ ବିଡ଼ମ୍ବନା ଭାବେ ଚିତ୍ରଣ କରି ମଣିଷର ବିକାଶ ସହ ବିବେକ ଓ ଆଦର୍ଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମାଜର ସବୁ ପ୍ରକାର ବିଭେଦକୁ ଦୂର କରି ଶାନ୍ତିରେ ବାସ କରିବା ହିଁ ପ୍ରକୃତ ଅଗ୍ରଗତି, ଯୁଦ୍ଧ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ୰ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଜୀବନାଦର୍ଶ ଉପରେ ଦୃଷ୍ଟାନ୍ତ ଦେଇ ତାଙ୍କୁ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ଚିତ୍ରଣ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଶୁଭଙ୍କର ମହାପାତ୍ର ୰ ଶ୍ୟାମସୁନ୍ଦର ମହାପାତ୍ର କିଭଳି ଲଣ୍ଡନରେ ମେୟର ହେବା ସାଙ୍ଗକୁ ବିଶ୍ୱ ରାଜନୀତିରେ ଜଣେ ଚର୍ଚ୍ଚିତ ଓ ପ୍ରଭାବଶାଳୀ ରାଜନୀତିଜ୍ଞ ଥିଲେ ତାହାର ଉଦାହରଣ ଦେଇଥିଲେ । ପିଜି କାଉନ୍ସିଲ୍ ଚେୟାରମେନ୍ ଡ. ମୁନେଶ ଚନ୍ଦ୍ର ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ. ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।
