ବାଲେଶ୍ୱରରେ ଜାତୀୟ ମତଦାତା ଦିବସ-୨୦୨୩ ପାଳିତ; ନୂତନ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ସଦ୍ଭାବନା ସଭାଗୃହରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ବୁଧବାର ପାଳିତ ହୋଇଛି । ଆୟୋଜିତ ସଚେତନତା ସଭାରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ନୂତନ ଭୋଟରଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୂଳ ଲକ୍ଷ୍ୟ । ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଥିବାର କହିଥିଲେ ।
ଜିଲା ନିର୍ବାଚନ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ସହକାରୀ ଜିଲାପାଳ ଗାୟତ୍ରୀ ସୋରେନ ପୌରୋହିତ୍ୟ କରିବା ସହିତ ଜିଲାରେ ଭୋଟରଙ୍କ ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଓ ବାଲେଶ୍ୱର ଉପ-ଜିଲାପାଳ କୁନାଲ ମୋତିରାମ ଚଭନ ଯୋଗଦେଇ ନୂତନ ଭୋଟରଙ୍କ ମଧ୍ୟରେ ଥିବା ଉତ୍ସାହ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶର ନାଗରିକ ଭାବେ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲାପାଳ ସମସ୍ତଙ୍କୁ ଭୋଟର ଶପଥ ପାଠ କରାଇଥିଲେ । ପରେ ଉକୃଷ୍ଟତା ପ୍ରଦର୍ଶନ ପାଇଁ ବିଭିନ୍ନ ବୁଥ ଲେଭେଲ ଅଫିସର (ବିଏଲଓ)ଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ନୂତନ ଭୋଟରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।
