ଏକ୍ସପୋ ଓଡ଼ିଶା-୨୦୨୩ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରର ଶିଳ୍ପ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡ଼ିଶା -୨୦୨୩’ ଉଦ୍ଘାଟିତ ହୋଇଛି । ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଉନ୍ନୟନ ସଂସ୍ଥା, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ବାଲେଶ୍ୱର ଜିଲା ପ୍ରଶାସନ, ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲା କ୍ଷୁଦ୍ର ଶିଳ୍ପ ସଂଘର ମିଳିତ ସହଯୋଗରେ ଆୟୋଜିତ ମେଳା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି । ଏହି ମେଳାରେ ୩ଶହରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଥିବା ବେଳେ ସ୍ଥାନୀୟ ଉତ୍ପାଦର ମାର୍କେଟିଂ ପାଇଁ ଏକ ପ୍ଲାଟଫର୍ମ ଦେବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ।
ଉଦ୍ଘାଟନୀ ସଭାରେ ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ କମର୍ସ (ବିସିଆଇସି)ର ସଭାପତି ତଥା ଶିଳ୍ପପତି ସଞ୍ଜୟ ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବା ସହିତ ଦୀର୍ଘ ୧୯ ବର୍ଷ ଧରି ଚାଲିଆସିଥିବା ଏହି ମେଳା ଜିଲା ପାଇଁ ଗୌରବ ଆଣିପାରିଛି । ଏନେଇ ସେ ବିସିଆଇସିର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଗୋଟିଏ ରାଷ୍ଟ୍ରର ଗାଁ’ଠାରୁ ରାଜଧାନୀ ପର୍ଯ୍ୟନ୍ତ ସାମଗ୍ରୀକ ଉନ୍ନତି ହିଁ ପ୍ରକୃତ ବିକାଶର ପଦବାଚ୍ୟ ହୋଇଥାଏ । ଏଥିପାଇଁ ଯୁବକଙ୍କୁ ଯୋଗ୍ୟ ଓ ପାରଦର୍ଶି କରିବା ପାଇଁ କେନ୍ଦ୍ର ସରକାର ବହୁ ଯୋଜନା ପ୍ରଣୟନ କରିଥିବା ବେଳେ ଏହାର ସୂଯୋଗ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଶିଳ୍ପ ଏବଂ ବ୍ୟବସାୟକୁ ଗ୍ରାମାଞ୍ଚଚଳରେ ପହଞ୍ଚାଇ ପାରିଲେ ରାଷ୍ଟ୍ରର ଉନ୍ନତି ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଡିଏଫଓ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପିକେ ଗୁପ୍ତା ଓ ଉତ୍ତର ଓଡ଼ିଶା ଶିଳ୍ପ ଓ ବାଣିଜ୍ୟ ମହାସଂଘ (ନୋସି)ର ସଭାପତି ପିକେ ଡାଭେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପାୟନ ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀ ଶିଳ୍ପର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱରରେ ବଡ଼ ବଡ଼ ଶିଳ୍ପ ଋଗ୍ଣ ଅବସ୍ଥାକୁ ଚାଲିଆସିଥିବା ବେଳେ କ୍ଷୁଦ୍ର ଶିଳ୍ପ ଧୀରେ ଧୀରେ ବୃଦ୍ଧି ପାଉଛି ତେବେ ଜିଲାରେ ଅନୁକୁଳ ଭିତ୍ତିଭୂମି ଥିବା ବେଳେ ଏହାକୁ ଏକ ସଫଳ ଶିଳ୍ପାୟନର ଜିଲା ଭାବେ ପରିଗଣିତ ପାଇଁ ସବୁ ମହଲରୁ ଉଦ୍ୟମ ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଉକୃଷ୍ଟତା ପ୍ରଦର୍ଶନ ପାଇଁ ବାଲେଶ୍ୱରର ୭ଟି ଶିଳ୍ପପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ କମର୍ସର ସାଧାରଣ ସମ୍ପାଦକ ସୁନୀଲ କୁମାର ମୋଦି ଧନ୍ୟବାଦ ଦେଇଥିଲେ । ସଭା ପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
