୨ଟି କରତ କଳ ଉପରେ ଚଢ଼ାଉ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସମେତ କାଠଗଣ୍ଡି ଜବତ
ସିମୁଳିଆ : ବାଲେଶ୍ୱର ଡିଏଫ୍ଓ ସୁମିତି କୁମାର କରଙ୍କ ନିର୍ଦ୍ଦଶରେ ବିଭାଗୀୟ ବନ କର୍ମଚାରୀ ପୋଲିସ ଫୋର୍ସ ସହାୟତାରେ ବୁଧବାର ପୂର୍ବାହ୍ନରେ ସିମୁଳିଆ ବ୍ଲକର ମାର୍କୋଣା ଓ ବରି କେନାଲ ନିକଟରେ ଥିବା ଦୁଇଟି କରତକଳ ଉପରେ ଚଢ଼ାଉ କରିଥିଲେ । ଏଥିରେ ଦୁଇଟି କରତ କଳର ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସମେତ କାଠଗଣ୍ଡି ଗୁଡ଼ିକୁ ଜବତ କରାଯାଇଛି । ଏହି ଦୁଇଟି କରତକଳ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚଢାଉ କରିଥିଲେ ହେଁ କୌଣସି କର୍ମଚାରୀମାନଙ୍କୁ ଗିରଫ କରି ନାହାନ୍ତି ।
ସୂଚନା ଯେ, ସିମୁଳିଆରେ ବିଭିନ୍ନ ୭ଟି କରତକଳ ଚାଲୁଛି । ତେବେ ବାରମ୍ବାର ଚଢ଼ାଉ କରାଯିବା ପରେ ଏହା ପୁନଃ କାର୍ଯ୍ୟକ୍ଷମ ହେଉଛି । ବିଦ୍ୟୁତ୍ ବିଭାଗୀୟ ଏହି କଳ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ଦେବା ସହିତ ବିଭିନ୍ନ ମାଲିକ ମାନେ ଜମି ଯୋଗାଇ ଦେଇଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଲୋକ ଦେଖାଣିଆ ଚଢ଼ାଉ ସମ୍ପର୍କରେ ଏସିଏଫ୍ ତପନ କୁମାର ପରିଡ଼ା କହନ୍ତି, ତହସିଲଦାର ଏହି ଜମିର କିସମ ଦେଖିବା ଆବଶ୍ୟକ । ଅଭିଯୋଗ ଆସିଲେ କରତକଳ ଉପରେ ଚଢ଼ାଉ କରାଯାଉଥିବାର ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦିପୁର ରେଞ୍ଜର ଗଣେସ ପ୍ରସାଦ ଲେଙ୍କା, ଔପଦା ରେଞ୍ଜର ବବିତା ସରେନ, ଡେପୁଟି କଲେକ୍ଟର ସ୍ମୃତି ରଞ୍ଜନ ପଣ୍ଡା, ଫରେଷ୍ଟର ମୀନାରାଣୀ ବେହେରା ପ୍ରମୁଖ ଥିଲେ ।
