ପିଲାଙ୍କୁ ଖଟ ବୋହିବା ଓ ଖବରଦାତାଙ୍କୁ ତାଲା ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ଗ୍ରାମରେ ଥିବା ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷକ ପାଠ ପଢ଼ାଇବା ବଦଳରେ ସାଇକେଲରେ ଖଟିଆ ବୋହିବା ପାଇଁ ୫ ଜଣ ପିଲାଙ୍କୁ ନିୟୋଜିତ କରିଥିଲେ । ଦୃଶ୍ୟ ଦେଖି ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଦତ୍ତଙ୍କୁ ପଚାରିବାରୁ ସେ ପିଲାମାନଙ୍କୁ ଖଟିଆ ବୋହିବା କଥା କିଛି କହିନାହାନ୍ତି କହି ଉତ୍କ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର କରିବା ସହ ଗେଟ୍ରେ ତାଲା ପକାଇ ଦେଇଥିଲେ । ଘଟଣା ବାବଦରେ ବସ୍ତା ପୋଲିସ ହସ୍ତକ୍ଷେପ କରିଥିବା ଘଟଣା ବୁଧବାର ସାମାଜିକ ଗଣମାଧ୍ୟମର ପ୍ରକାଶ ପାଇବା ପରେ ହ୍ୟୁମାନ ରାଇଟ୍ସ୍ ଇଣ୍ଟର ନେସନାଲ ଫେଡେରେସନର ରାଜ୍ୟ ମୁଖ୍ୟ ନିର୍ଦ୍ଦେଶକ ସେଖ ସାବିର ହୋସେନ, ଏକ୍ଟିଭ ମେମ୍ବର କମଲ ଲୋଚନ ରାଉତ, ଜିଲା ସଭାପତି ସେଖ୍ ଜଗିରୁଦ୍ଦିନ ୩ ଜଣିଆ ଟିମ୍ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
