ବିଜେଡି ଓ ଭାଜପାର ମିଶ୍ରଣ ପର୍ବ ! ନୀଳଗିରିରେ ୨୦୨୪ ନିର୍ବାଚନୀ ଉଷ୍ମତା; ଏବେଠୁ କଡ଼ ଲେଉଟିଲେଣି କର୍ମୀ
ନୀଳଗିରି : ଆଗାମୀ ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଓ କର୍ମୀମାନଙ୍କ ମଧ୍ୟରେ ଉଷ୍ମତା ବଢ଼ିଯାଇଛି । ନେତା ଓ କର୍ମୀ ନିଜର ପତିଆରା ବଜାୟ ରଖିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ବଢ଼ି ଚାଲିଛନ୍ତି । ନୀଳଗିରିରେ ମୁଖ୍ୟତଃ ଅନ୍ୟଦଳ ଅପେକ୍ଷା ଭାଜପା ଓ ବିଜେଡି ମଧ୍ୟରେ ଛକା ପଞ୍ଝା ଜୋରଦାର ଚାଲିଥିବା ବେଳେ ବିଜେଡି ନବୀନ ସରକାରଙ୍କର ନିର୍ମଳ ଭାବମୂର୍ତ୍ତି ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଦ୍ୱାହି ଦେଇ ଅନ୍ୟ ଦଳର କର୍ମୀମାନଙ୍କୁ ଆକୃଷ୍ଟ କରି ନିଜ ଦଳରେ ସାମିଲ କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦି ଭାଜପା ମଧ୍ୟ ପଛରେ ପଡ଼ି ନାହିଁ । କେନ୍ଦ୍ରର ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ଏପରିକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଜନକଲ୍ୟାଣକାରୀ ବହୁମୁଖୀ କାର୍ଯ୍ୟକ୍ରମ ଏବଂ ବିଶ୍ୱସ୍ତରରେ ମୋଦୀଙ୍କ ଦବଦବାକୁ ନେଇ ଦଳ ତୃଣମୂଳସ୍ତରରେ କର୍ମୀମାନଙ୍କୁ ଏକଜୁଟ୍ କରିବାରେ ପ୍ରୟାସ ଜାରୀ ରଖିଛି । ଏହି କ୍ରମରେ ଗତ ସୋମବାର ନୀଳଗିରି ବିଜେଡିର ନେତା ସନ୍ତୋଷ ଖଟୁଆଙ୍କ ଫାର୍ମ ହାଉସରେ କେସିପୁର ପଞ୍ଚାୟତର କିଛି ଅନ୍ୟ ଦଳର କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଓ ବିଜେଡି ଉତରୀୟ ଦେଇ ସାମିଲ କରିଥିଲେ । ଫଳରେ ଆଗାମୀ ନିର୍ବାଚନରେ ଦଳ ସୁଦୁଢ ହେବା ସହ ଦଳ ଜନସାଧାରଣଙ୍କ ନିକଟତର ହୋଇପାରିବ ବୋଲି ଶ୍ରୀ ଖଟୁଆ ସାମିଲ ହୋଇଥିବା କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ।

ସେହିପରି ବୁଧବାର ଭାଜପା ଦଳର ବିଧାୟକ ଇଂ. ସୁକାନ୍ତ ନାୟକଙ୍କ ଉପସ୍ଥିତିରେ କେସିପୁର ଠାରେ ଏକ ସାଧାରଣ କର୍ମୀ ବୈଠକରେ ଅନ୍ୟ ଦଳ ବହୁ ଆଗଧାଡ଼ିର କର୍ମୀ ବିଧାୟକଙ୍କ କାର୍ଯ୍ୟ ଦକ୍ଷତା ଏବଂ ଜନକଲ୍ୟାଣକାରୀ ମନୋଭାବର ଅନୁପ୍ରାଣିତ ହୋଇ ଭାଜପାର ସାମିଲ ହୋଇଥିଲେ । ବିଧାୟକ ତାଙ୍କୁ ଭାଜପା ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କର୍ମୀଙ୍କ ଦଳରେ ସାମିଲ୍ ପରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଭାଜପା ଜିଲା ଉପ-ସଭାପତି ଗଙ୍ଗାଧର ମିଶ୍ର, ମଣ୍ଡଳ ସଭାପତି ଅକ୍ଷୟ କୁମାର ବେହେରା, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ପିଠାହତା ସରପଞ୍ଚ ମିନତୀ ମୁର୍ମୁ, ସମିତିସଭ୍ୟ ପ୍ରଭାକର ବାଗୁଡ଼ାଇ, ଶ୍ରୀମନ୍ତ ମହାପାତ୍ର, ମାନ ମୁର୍ମୁ, ତେଲିପାଳର ପୂର୍ବତନ ସରପଞ୍ଚ ସାରେଲ ବାସ୍କେ ଓ ସମିତିସଭ୍ୟା ସୁରଭି ସିଂ, ମହେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।
