୫ ଖଣ୍ଡ ଗାଁକୁ ରାସ୍ତା ପାଇଁ ଅଧଏକର ଜମି ଦାନ
କୋଣାର୍କ : କାକଟପୁର ବ୍ଲକ୍ ଅନ୍ତର୍ଗତ ଚିତ୍ରେଶ୍ୱରୀ ଠାରୁ ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ତଣ୍ଡାହର ଗ୍ରାମକୁ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ପାଇଁ ସିଂହାର ପାଳ ନିକଟରେ ବ୍ୟକ୍ତିଗତ ଜମି ଯୋଗୁଁ ନିର୍ମାଣ କାର୍ଯ୍ୟ ହୋଇ ପାରୁନଥିଲା । ପୁରୁଣା ରାସ୍ତା ଯାଇଥିବା ଜାଗାକୁ ଜଣେ ବ୍ୟକ୍ତି ନଛାଡ଼ିବାରୁ ଅସ୍ତରଂଗ ବ୍ଳକ ସିରେଇ ପଞ୍ଚାୟତ ଅଧୀନ ୫ ଖଣ୍ଡ ଗାଁକୁ ରାସ୍ତା ନିର୍ମାଣ ହୋଇ ପାରୁନଥିଲା । ଏନେଇ ଛେନୁ, ଉଦୟକଣି, କଟକଣା, କଳମକଣି ଓ ତଣ୍ଡାହର ଗ୍ରାମର ପ୍ରାୟ ୨ ହଜାରରୁ ଅଧିକ ଜନ ସାଧାରଣ ହଇରାଣ ହରକତ ହେଉଥିଲେ । ଏହି ରାସ୍ତା ନିର୍ମାଣ ପାଇଁ ଭୋଟ ସମୟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅନ୍ୟ ନେତା ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ସମସ୍ତେ ନିବେଦନ କରିବା ସତ୍ତ୍ୱେ ଜଣେ ବ୍ୟକ୍ତି ରାସ୍ତା ପାଇଁ ଜମି ନଛଡ଼ିବାରୁ ନଡ଼ିଆ ମଠ ଗ୍ରାମର ସମାଜସେବୀ ତଥା ଅବଦାନ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଲକ୍ଷ୍ମୀନାରାୟଣ ଜେନା ତାଙ୍କ ପିତା ସ୍ୱର୍ଗତ ମଙ୍ଗୁଳି ଜେନାଙ୍କ ଅର୍ଜିତ ଜମି ବିନା ମୂଲ୍ୟରେ ଦାନ କରିଥିଲେ । ପ୍ରାୟ ୨୫୦ ମିଟର ଲମ୍ବ ରାସ୍ତା ପାଇଁ ଅଧ ଏକର ବା ୫୦ ଡିସିମିଲି ଜମି ବିନା ମୂଲ୍ୟରେ ନିସର୍ତ ଦାନ କରିଥିବାରୁ ଗତ କିଛି ମାସ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏନେଇ ତଣ୍ଡାହର ଗ୍ରାମବାସୀ ଓ ଅନ୍ୟ ୪ଟି ଗ୍ରାମର ଜନ ସାଧାରଣ ଜେନା ପରିବାରଙ୍କ ଉପରେ ସବୁଦିନ ପାଇଁ ରୁଣି ହେବା ସହ ତାଙ୍କୁ ବୁଧବାର ସମ୍ବର୍ôଧତ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ମହା ଆଡ଼ମ୍ବରରେ ଶ୍ରୀଯୁକ୍ତ ଜେନାଙ୍କୁ ବିପୁଳ ସ୍ୱାଗତ କରିବା ସହିତ ତାଙ୍କ ହାତରେ ନୂତନ ରାସ୍ତାକୁ ଶୁଭ ଉଦ୍ଘାଟନ କରାଇଥିଲେ । ଗ୍ରାମବାସୀ ମାନେ ଉକ୍ତ ରାସ୍ତାକୁ ସ୍ୱର୍ଗତ ମଙ୍ଗୁଳି ଜେନାଙ୍କ ନାମରେ ନାମିତ କରିଥିଲେ । ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଧନା କରିବା ସହିତ ସମସ୍ତ ଅତିଥି ମାନଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ । ତଣ୍ଡାହର ମହୂମୁଖି ଆଶ୍ରୟ ସ୍ଥଳୀ ନିକଟରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଗ୍ରାମବାସୀ ଓ ମହିଳା ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ସମ୍ବର୍ôଧତ କରାଯାଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଯୋଗଦେଇ ଶ୍ରୀଯୁକ୍ତ ଜେନାଙ୍କ ଏତାଦୃଶ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମଲ୍ଲିକ ଏହି କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନିଜ ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ଦୁଇ ଗୁଣ୍ଠ ଜମି ଦାନ କରିଥିବା କହିଥିଲେ । ତଣ୍ଡାହର ଗ୍ରାମ ସଭାପତି ନାରାୟଣ ସାହୁ, ସମ୍ପାଦକ ପ୍ରମୋଦ ସ୍ୱାଇଁ, ବିଚି କାଳିଆ, ନଟ ମଲିକ, ତହଲି କାଳିଆ, ସୁବାସ ପ୍ରଧାନ ଓ ଧନେଶ୍ୱର ମଲିକ ପ୍ରମୁଖ ଦାନକାରି ଶ୍ରୀଯୁକ୍ତ ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
