ରାସ୍ତା ନିର୍ମାଣରେ ବାଧକ ବିଦ୍ୟୁତ ପୋଲ
ଖଇରା : ବାଲେଶ୍ୱର ଓ ଭଦ୍ରକ ୨ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତାର କାର୍ଯ୍ୟ ୨ମାସ ଧରି ଦୃତଗତିରେ ଆଗେଇ ଚାଲିବା ପରେ ଏବେ କିନ୍ତୁ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁଁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବିଦ୍ୟୁତ ଖୁଣ୍ଟ ଅପସାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ତଥା ଗଗନଧୁଳି ଗ୍ରାମ ମଝିରେ ଥିବା ଟ୍ରାନ୍ସଫରମର ଅପସାରଣ ହୋଇ ପାରିଲାନି । ଯେଉଁଥିପାଇଁ ଅବଧି ସମୟରେ ରାସ୍ତା କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ନେଇ ଅନିଶ୍ଚିତା ଦେଖାଦେଇଛି । ଖାଲି ସେତିକି ନୁହେଁ ରାଜସ୍ୱ ବିଭାଗର ଅସଯୋଗୁଁ ଡ୍ରେନ ତଥା ସରକାରୀ ଯାଗା ଜବରଦଖଲ ମୁକ୍ତ ହୋଇ ନପାରିବାରୁ ରାସ୍ତା ପ୍ରଶସ୍ତିକରଣ ରେ ବାଧା ସୃଷ୍ଟି କରିଛି । ତୁରନ୍ତ ବିଦ୍ୟୁତ ଖୁଣ୍ଟ ଅପସାରଣ ତଥା ରାସ୍ତା ୨ପାଶ୍ୱର୍କୁ ଜବରଦଖଲ ମୁକ୍ତ ପାଇଁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୁଦନ ମାଝୀ,ଗୋବିନ୍ଦ ପଣ୍ଡା,ମଧୁସୁଦନ ଦାସ,ଲମ୍ବୋଦର ମାଝୀ,ମହେଶ୍ୱର ବେହେରା,ଭଗବାନ ଦାସ,କମଳାକାନ୍ତ ପଣ୍ଡା,ରତ୍ନାକର ପ୍ରଧାନ,କୈଳାସ ଜେନା,ଗୋବିନ୍ଦ ଚନ୍ଦ୍ର ସେଠୀ,ନିରଞ୍ଜନ ପ୍ରଧାନ,ଜଗନ୍ନାଥ ପୃଷ୍ଟିଙ୍କ ସମେତ ଅରଖପୁର, ତୋଟାପଡା, ପତିରାଜପୁର,ସିଂହିପୁର,ମୁସ୍ତଫାବାଦ,ଅଲିପୁର ଗ୍ରାମର ଅଧିବାସୀ ମାନେ ଦାବୀ କରିଛନ୍ତି । ଉକ୍ତ ରାସ୍ତା ପାଇଁ ୧୦କୋଟି ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ୨୮ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତିରଞ୍ଜନ ଘଡେଇଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାକୁ ଲାଗି ରହିଥିବା ୨୫ଟି ବିଦ୍ୟୁତ ଖୁଣ୍ଟ ଅପସାରଣ କରିବାକୁ ୪ମାସ ତଳୁ ବିଦ୍ୟୁତ ବିଭାଗ(ବର୍ତ୍ତମାନର ଟାଟା ପାୱାର)କୁ ଚିଠି କରାଯିବା ପରେ ଏଷ୍ଟିମେଟ ପ୍ରଦାନ କରିବାକୁ କୁହାଯାଇଥିଲା । ହେଲେ କାର୍ଯ୍ୟ ୨ମାସ ତଳୁ ଆରମ୍ଭ ହୋଇ ୩୦ପ୍ରତିଶତ ରାସ୍ତା କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ଅପସାରଣ ଆରମ୍ଭ ହୋଇ ପାରିଲାନି । ସେହିଭଳି ଗଗନଧୁଳି ଗ୍ରାମ ରେ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ହଟାଇବାକୁ ଠିକାଦାର ଓ ଗ୍ରାମ୍ୟଉନ୍ନୟନ ବିଭାଗ ତଥା ଗ୍ରାମବାସୀ ଟାଟା ପାୱାରର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ଜଣାଇ ସାରିଥିଲେ ମଧ୍ୟ ବର୍ତ୍ତମାନ ଫାଇଲ ପ୍ରୋସେସିଂ ଚାଲିଥିବା ନେଇ ଉତ୍ତରରେ କୁହାଯାଉଛି । ଏ ସମ୍ପର୍କରେ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଅଶୋକ ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ଫାଇଲ ଏସ୍ସିଙ୍କ ନିକଟକୁ ଯାଇଛି । ଯଥାଶୀଘ୍ର ଅପସାରଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ବୋଲି କହିଛନ୍ତି ।
