ବିଦ୍ୟୁତ୍ ସେବା ବନ୍ଦ, ଅନ୍ଧାରରେ ପାକିସ୍ତାନ
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଲୋକଙ୍କୁ ଆଉ ଏକ ଝଟକା । ସୋମବାର ସକାଳୁ ସକାଳୁ ହଠାତ୍ ବନ୍ଦ ହୋଇଗଲା ବିଦ୍ୟୁତ୍ ସେବା । ଦେଶର କ୍ୱେଟା, ଲାହୋର, କରାଚି ସମେତ ଦେଶର ବହୁ ସହରରେ ଅନ୍ଧାର ଛାଇ ଯାଇଛି । ଫଳରେ ବିଭିନ୍ନ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ ରହିଥିବା ଜଣାପଡ଼ିଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରଣାଳୟ କହିଛି ଯେ ନ୍ୟାସନାଲ ଗ୍ରୀଡ୍ର ସିଷ୍ଟମର ଫ୍ରିକ୍ୱେନ୍ସି ପ୍ରେସର କମ୍ ହୋଇଯିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ଦେଶର ଏକ ପ୍ରମୁଖ ସହର କରାଚିରେ ମଧ୍ୟ ସମ୍ପ୍ରତି ୯୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ଥିବା ଜଣାପଡ଼ିଛି ।
ଶକ୍ତି ମନ୍ତ୍ରାଳୟ ସୂଚନା ଦେବା ପୂର୍ବରୁ ବିଭିନ୍ନ ବିଦ୍ୟୁତ ବିତରକ କମ୍ପାନୀ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ନେଇ ସୂଚନା ଦେଇଥିଲେ। କ୍ୱିଟା ଇଲେକ୍ଟ୍ରିକ ସପ୍ଲାଏ କମ୍ପାନୀର ଗୁଡ୍ଡୁରୁ କ୍ୱେଟ୍ଟା ଯାଇଥିବା ଦୁଇଟି ଟ୍ରାନ୍ସମିସନ ହଠାତ୍ ଖରାପ ହୋଇଯାଇଛି। ଫଳରେ କ୍ୱେଟା ସମେତ ବଲୋଚିସ୍ତାନ ୨୨ ଜିଲ୍ଲାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ସେହିପରି ଲାହୋର, କରାଚି ଓ ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଇସଲମାବାଦରେ ୧୧୭ ଗ୍ରୀଡ୍ ଷ୍ଟେସନ୍ରେ ବିଦ୍ୟୁତ୍ ନାହିଁ। ପେଶାୱାରରେ ମଧ୍ୟ ଇଲେକ୍ଟ୍ରିକ୍ ସେବା ବାଧାପ୍ରାପ୍ତ ହୋଇଯାଇଛି।
