ସରିଲା ପ୍ରଥମ ପର୍ଯ୍ୟାୟ ୱାର୍ଡ଼ମେମ୍ବର ପ୍ରଶିକ୍ଷଣ ଶିବିର
ବାଲିଆପାଳ : ବାଲେଶ୍ୱର ଜିଲା ବସ୍ତା ବ୍ଲକର ଅଗ୍ରୀଣ ସ୍ୱେଛାସେବୀ ସଙ୍ଗଠନ ସ୍ପର୍ଶ ଆନୁକୁଲ୍ୟରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ଦ୍ୱାରା ପାରୁଳିଆ ଆର୍ମ ସଂଗଠନ ସଭାଗୃହ ପରିସରରେ ରବିବାର ବାଲିଆପାଳ ବ୍ଲକର ୱାର୍ଡ଼ ମେମ୍ବରମାନଙ୍କର ପ୍ରଥମ ପର୍ଯ୍ୟାୟର ୩ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବାଲିଆପାଳ, ବିଷ୍ଣୁପୁର, ଅସ୍ତୀ ପଞ୍ଚାୟତର ୫୦ ଜଣ ୱାର୍ଡ଼ ସଦସ୍ୟାସଦସ୍ୟଙ୍କୁ ତାଲିମ ଦିଆଯାଇଛି ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜାମକୁଣ୍ଡା, ମଧୁପୁରା, କୁମ୍ଭାରୀ ପଞ୍ଚାୟତରୁ ୫୦ ଜଣ ୱାର୍ଡ଼ ସଦସ୍ୟାସଦସ୍ୟଙ୍କୁ ଆସନ୍ତା ୨୭ରୁ ଦ୍ୱିତୀୟ ପର୍ଯ୍ୟାୟରେ ତାଲିମ ଦିଆଯିବ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଆର୍ମ ସଙ୍ଗଠନର ସଂଯୋଜକ ରାଜେନ୍ଦ୍ର ରଣା ମୁଖ୍ୟ ଅତିଥି ଭାବରେ,ସମ୍ମାନିତ ଅତିଥି ଭାବରେ ଖବରଦାତା ତଥା ସାମାଜିକ କର୍ମୀ ଦିଲ୍ଲୀପ ଦାସ ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଶିକ୍ଷକ ଭାବରେ ଏସ୍ଆଇଆର୍ଡିର ସ୍ୱିକୃତୀ ପ୍ରାପ୍ତ ପ୍ରଶିକ୍ଷକ ପ୍ରଶାନ୍ତ ମହାପାତ୍ର ଓ ଜୟପ୍ରକାଶ ଦାସ ୱାର୍ଡମେମ୍ବରଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
