ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ; ଦେଉଳିଆ ଏକାଦଶ ଚାମ୍ପିୟନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଧୋବଶିଳା ଫୁଟବଲ ପଡ଼ିଆରେ ଆଥ୍ଲେଟିକ୍ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଛି । ଏହି ଖେଳରେ ପୂର୍ବତନ ଖେଳାଳୀମାନଙ୍କୁ ନେବା ସହ ଏକ ଫୁଟବଲ ମ୍ୟାଚ୍ ଆୟୋଜନ କରାଯାଇଥିଲା । ୬ଗୋଟି ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ମୟୂରଭଞ୍ଜର ଦେଉଳିଆ ଏକାଦଶ ଓ ନରହରିପୁର ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚର ଦେଉଳିଆ ଏକାଦଶ ଚମ୍ପିଆନ ହୋଇ ୧୦ହଜାର ଟଙ୍କା ପୁରସ୍କାର ରାଶି ପାଇଥିବା ବେଳେ ନରହିରପୁର ରନର୍ସଅପ ହୋଇ ୮ହଜାର ଟଙ୍କା ପୁରସ୍କାର ପାଇଛନ୍ତି ।
ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଏମ୍ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବାଲେଶ୍ୱର ଭାଜପା ଉପ-ସଭାପତି ଗଙ୍ଗାଧର ମିଶ୍ର ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ବୃଷଭାନୁ ମହାପାତ୍ର ଧାରା ବିବରଣୀ ଦେଇଥିବା ବେଳେ କ୍ଲବ ସଦସ୍ୟ ଅନାଦି ନାୟକ, ଶରତ ରାଉଳ, ମହେଶ୍ୱର ମଲିକ, ରମାକାନ୍ତ ବେହେରା, ସମରେନ୍ଦ୍ର ଜେନା, ପ୍ରଫୁଲ୍ଲ ରାଉଳ, ଗୋପାଳଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
