ଲକ୍ଡାଉନ୍ ନା ଅନ୍ଲକ୍! ୧ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା
ଭୁବନେଶ୍ୱର : ରାଜ୍ୟରେ ଏବେ ମହାମାରୀ କରୋନାର ଦ୍ଵିତୀୟ ଲହର ସ୍ଥିତି ନିୟନ୍ତ୍ରଣାଧୀନ । ସେହିପରି ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ ଗୁରୁବାର ଶେଷ ହେଉଛି । ଫଳରେ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ ସେନେଇ ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୁଧବାର ଅପରାହ୍ନ ୧ଟା ୩୦ ମିନିଟ ସମୟରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ।
ସୂଚନା ଯେ, ରାଜ୍ୟରେ ଜୁନ୍ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଛି । ତେଣୁ ରାଜ୍ୟରେ କଟକଣାକୁ କୋହଳ କରିବା ଉଚିତ୍ ହେବ ନାହିଁ, ତାହା ଆଜି ଜଣାପଡିବ । ଏପିରିକି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ସେହିପରି ରାଜ୍ୟରେ କିଛି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି । ଖାସ୍ କରି ଖୋର୍ଦ୍ଧା, ଯାଜପୁର, କଟକ, ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଏହାଛଡ଼ା ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣର ଗ୍ରାଫ୍ ଏବେ ତଳମୁହାଁ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଗାମୀ ଦିନରେ ସଂକ୍ରମଣର ଗ୍ରାଫ୍ ଆହୁରୀ କମିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।
