କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳି ମାଡ଼, ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ପୁଣି ଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅତି କମରେ ୧୬ ଜଣଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କର୍ଡନ କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣା କାଲିଫର୍ଣ୍ଣିଆର ମୋଣ୍ଟେରୀ ପାର୍କରେ ଘଟିଥିଲା । ଏହି ଗୁଳିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ମଣ୍ଟେରୀ ପାର୍କ ନିକଟରେ ନୂଆ ବର୍ଷପାଳନ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମିଳିଥିବା ସୂଚନା ମୁତାବକ ମଣ୍ଟେରୀ ପାର୍କରେ ନୂଆବର୍ଷ ପାଳନ ପାଇଁ ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର ରାତିରେ ଲୋକମାନେ ଉତ୍ସବରେ ଯୋଗଦେବାକୁ ଏକତ୍ରିତ ହୋଇଥିଲେ। ତେବେ ଆମେରିକୀୟ ସମୟ ରାତି ପ୍ରାୟ ୧୦ଟା ସମୟରେ ଏହି ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ଘଟଣାସ୍ଥଳରେ ପ୍ରାୟ ୧୬ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ମଣ୍ଟେରି ପାର୍କ ଲସ ଆଞ୍ଜେଲସ କାଉଣ୍ଟିର ଗୋଟିଏ ସହର ଯାହା ଲସ ଆଞ୍ଜେଲସର ଡାଉନଟାଉନ ଠାରୁ ପ୍ରାୟ ୧୧ କିଲୋମିଟର ଦୂର ହେବ।
ସୂଚନା ଯେ, ଗତ ସୋମବାର ଦିନ ମଧ୍ୟ କାଲିଫର୍ଣ୍ଣିଆର ଗୋସୋନରେ ଗୁଳି ମାଡ଼ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସହିତ ୬ ମାସର ଛୁଆର ମୃତ୍ୟୁ ହୋଇଥିଲା। ଏହା ସହିତ ମୋଟ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା। ପୋଲିସ ଏହାକୁ ଟାର୍ଗେଟ କିଲିଂର ନାଁ ଦେଇ ତଦନ୍ତ ଜାରି ରଖିଛି।
ସେହିପରି ୨୦୨୨ ମସିହା ନଭେମ୍ବର ମାସରେ ଆମେରିକାର ପେନସିଲଭାନିଆ ଅନ୍ତର୍ଗତ ଫିଲାଡେଲଫିଆରେ ମଧ୍ୟ ଜୋରଦାର ଗୁଳିମାଡ଼ କରାଯାଇଥିଲା। ଏହି ଘଟଣାରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଭିଡ଼ିଓ ଓ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲେ। ଏହା ପୂର୍ବରୁ ନର୍ଥ କ୍ୟାରୋଲିନାର ଏକ ଘଟଣାରେ ୬ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଏକାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ରହିଥିଲେ। ଏହି ଘଟଣା ନର୍ଥ କ୍ୟାରୋଲିନାର ରେଲିଗ ଅଞ୍ଚଳରେ ହୋଇଥିଲା।
