କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ୨୪ରୁ ରିଲେ ଗଣଧାରଣା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ମେଡିକାଲ ବଞ୍ଚଅ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ବୈଠକରେ କେନ୍ଦ୍ରାପଡା ବନ୍ଦ ସଂପୂର୍ଣ୍ଣ ସଫଳ ହେବା ପରେ ଜିଲ୍ଲା ପ୍ରଶାସନ ରକ୍ତମୁଖା ହୋଇ ଦମନଲୀଳା ଆରମ୍ଭ କରିଛି । ଏହାକୁ କମିଟି ତୀବ୍ର ନିନ୍ଦା କରିବା ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରି ସମସ୍ୟାର ସମାଧାନ କରିବା ସହିତ ପୁରୁଣା ମେଡିକାଲରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଫେରାଇ ଦେବାକୁ ଦାବି କରିଛି । ଏହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ତରବରିଆ ଭାବେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ କରି ନାଟକ ଆରମ୍ଭ କରିଛି । ଏସମ୍ପର୍କରେ ମହମ୍ମଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ କ୍ରୀୟାନୁଷ୍ଠାନ କମିଟି ବସି ଏହି ନାଟକ ବନ୍ଦକରି କମିଟି ଓ କେନ୍ଦ୍ରାପଡାବାସୀଙ୍କ ସହିତ ଆଲୋଚନା କରିବା ପାଇଁ ଆହ୍ୱାନ କରିଛି । ଅନ୍ୟ ପକ୍ଷରେ ଆଗାମୀ ୨୩ତାରିଖ ସୁବାଷ ବୋଷ ଜୟନ୍ତୀ ପଡୁଥିବାରୁ ଓ ଛୁଟି ରହୁଥିବାରୁ ଜିଲ୍ଲାପାଳଙ୍କୁ ରିଲେ ଗଣଧାରଣା ପାଇଁ ଦିଆଯାଇଥିବା ନୋଟିସର ପରିବର୍ତ୍ତନ କରି ପରଦିନ ୨୪ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣଧାରଣା ଦେବାକୁ କ୍ରୀୟାନୁଷ୍ଠାନ କମିଟି ଘୋଷଣା କରିଛି । ଏହି ଲଗାତର ଗଣଧାରଣାରେ ଦଳ ମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ନିବେଦନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୟାଧର ଧଳ, ହିବଜୁର ରହେମାନ, ପ୍ରଶାନ୍ତ କୁମାର ସିଂ, ମୁକ୍ତାର ଖାଁ, ମହମ୍ମଦ ସଲିମ ଖାନ, ସୈାମେନ୍ଦ୍ର ପୃଷ୍ଟି,କ୍ଷିତିଶ ରୋସନ ସିଂହ, ମୀର ମୁର୍ଶିଦ, ସେକ ଅସଲମ, ଭୀମସେନ ବେହେରା, ସେକ ନିଆଜ, ସେକ ଚାନ୍ଦ, ସେକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
