ସହକାରୀ ଶିକ୍ଷକଙ୍କୁ ମାଡ଼ ଘଟଣା : ଗେଟ୍ରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ
ଔପଦା : ଔପଦା ବ୍ଲକ ରାଇରାମଚନ୍ଦ୍ରପୁର ପଞ୍ଚାୟତ କେତକୀଝୁରି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଦୀପ ବଙ୍ଗାଲଙ୍କୁ ମାଡ଼ମାରିବା ପ୍ରତିବାଦରେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଗେଟରେ ତାଲା ପକାଇ ଧାରଣାରେ ବସିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସ୍କୁଲର ପିଲାମାନେ ଖେଳରେ ଭାଗ ନେବାକୁ କେନ୍ଦ୍ର କରି ମହିଷାଡ଼ାଳି ଗ୍ରାମର ଅଧିକାରୀ ପରିଡ଼ା ଶିକ୍ଷକ ଶ୍ରୀ ବଙ୍ଗାଲଙ୍କୁ ମୋ ଝିଅ କଣ ପାଇଁ ଖେଳରେ ଭାଗ ନ ନେବ କହି ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୩ ଟାପରେ ଶିକ୍ଷକଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି ।
ପଞ୍ଚାୟତର କେତକୀଝୁରି ପ୍ରାଥମିକ ସ୍କୁଲର ୫ଟି ଶ୍ରେଣୀରେ ୧୦୧ ଜଣ ପିଲା ପାଠ ପଢୁଥିବା ବେଳେ ୫ ଜଣ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ଅଛନ୍ତି । ପ୍ରତିବର୍ଷ ପରି ଜାନୁଆରୀ ୨୬ରେ ପଞ୍ଚାୟତସ୍ତରୀୟ ଖେଳ ପ୍ରତିଯୋଗିତା ହେବ । ପ୍ରତିଯୋଗିତାରେ ଏହି ସ୍କୁଲର ପିଲାମାନେ ଭାଗ ନେବାକୁ ଥିବାବେଳେ ୫ମ ଶ୍ରେଣୀରେ ପାଠ ପଢୁଥିବା ଶ୍ରୀ ପରିଡାଙ୍କ ଝିଅ ତିନୋଟି ବିଭାଗରେ ଭାଗ ନେଇଥିବାରୁ ଗୋଟିଏ ଖେଳରୁ ବାଦ ପଡ଼ିଥିବା ଶିକ୍ଷକ ଓ ଧାରଣାକାରୀଙ୍କ ଠାରୁ ଜଣାଯାଇଛି । ସ୍କୁଲ ପିଲାମାନେ ଖେଳର ଅଭ୍ୟାସ କରିବା ପାଇଁ ୧୮ ତାରିଖ ସ୍ଥାନୀୟ ପଡ଼ିଆକୁ ଶିକ୍ଷକଙ୍କ ସହିତ ଯାଇଥିଲେ । ପିଲାମାନଙ୍କ ସହିତ ଶିକ୍ଷକ ପ୍ରଦୀପ ବଙ୍ଗାଳ ଯାଇଥିବାବେଳେ ଶ୍ରୀ ପରିଡ଼ା ତାଙ୍କ ଝିଅ ଅନ୍ୟ ଖେଳରୁ ବାଦ୍ ପଡ଼ିଥିବା ଜାଣି ସ୍କୁଲକୁ ଯାଇ ଗେଟ୍ ସମ୍ମୁଖରେ ଶିକ୍ଷକଙ୍କୁ ଗାଳି ଦେବା ସହ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି । ଶୁକ୍ରବାର ସ୍କୁଲ ଖୋଲିବା ପୂର୍ବରୁ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀଛାତ୍ର ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ । ଧାରଣାକାରୀ ମାନେ ଶିକ୍ଷକଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଉଚିତ୍ ଦଣ୍ଡ ଦେବା ସହ ଶ୍ରୀ ପରିଡ଼ାଙ୍କ ସ୍ତ୍ରୀ ଏହି ସ୍କୁଲରେ ଦୀର୍ଘ ବର୍ଷ ଧରି ରହିଥିବାରୁ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ । ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଶିକ୍ଷାବିଭାଗ ଅପରାହ୍ନ ୩ଟାରେ ସ୍କୁଲରେ ପହଞ୍ଚିଥିଲେ ବି କୌଣସି ସମାଧାନ ହୋଇପାରିନଥିବା ଜଣାଯାଇଛି ।
ସ୍କୁଲର ପ୍ରଧାନଶିକ୍ଷକ ତ୍ରୀବିକ୍ରମ ଦାସଙ୍କ ମତାମତ ନେବାରୁ ସହକାରୀ ଶିକ୍ଷକଙ୍କୁ ମାଡ଼ ହେବ ସମ୍ପର୍କରେ ଜାଣିଛି, ଘଟଣା ସମ୍ପର୍କରେ ଫୋନରେ ଶିକ୍ଷା ବିଭାଗକୁ ଜଣାଇଥିବା କହିଛନ୍ତି ।
