ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ଅସହାୟ ପରିବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ ପାଇଁ ଜଣାଇଲେ ଗୁହାରୀ
ଲଙ୍ଗଳେଶ୍ୱର : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗରୀବ ହିତାଧିକାରୀମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହିସବୁ ଯୋଜନା ପ୍ରକୃତ ହିତାଧୀକାରୀଙ୍କ ପାଖରେ ଏବେ ବି ଅପହଞ୍ଚ ରହିଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ସରକାରୀ ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଛଡ଼ା ଗ୍ରାମରେ
ଗ୍ରାମରେ ଗରିବ ଅସହାୟ ଅଜିତ ସାହୁଙ୍କ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଘରଟେ ନଥିବାରୁ ଦୀର୍ଘବର୍ଷ ଧରି ପଲିଥିନ୍ ଘେରା ଭଙ୍ଗା ଘରେ ବିତାଉଛନ୍ତି ଦୟନୀୟ ଜୀବନ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁ ନଥିବା କଥା କାନ୍ଦି କାନ୍ଦି କହିଛନ୍ତି ଅଜିତଙ୍କ ପରିବାର ଲୋକେ । ତେବେ ପୂର୍ବରୁ ପ୍ରକାଶିତ ତାଲିକାରେ କ୍ରମିକ ନମ୍ବର – ୫୧ରେ ତାଙ୍କ ନାମ ରହିଥିବା ବେଳେ ପଞ୍ଚାୟତର ସରପଞ୍ଚ ତାଙ୍କର ଆବାସ ଯୋଜନାରେ ଘର ଆସି ଯାଇଛି ଏବଂ ପୁରୁଣା ଘରକୁ ଭାଙ୍ଗି ଦେଇ ଜାଗା ପରିଷ୍କାର କରିବାକୁ କହିବା ପରେ ଅଜିତ ଘରକୁ ଭାଙ୍ଗି ଦେଇଥିଲେ । ଆଶା ରଖିଥିଲେ ସରକାରଙ୍କ ପକ୍ଷରୁ ତାଙ୍କୁ ପକ୍କା ଘରଟେ ମିଳିବ, ଆଉ ସେ ତା ଭିତରେ ଟିକେ ମୁଣ୍ଡ ଗୁଞ୍ଜି ପାରିବେ । ମାତ୍ର ଦୀର୍ଘଦିନର ପ୍ରତୀକ୍ଷା ପରେ ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ତାଲିକାରେ ବାଲିକୁଟୀ ପଞ୍ଚାୟତରେ ୧୬୪ ଜଣ ହିତାଧିକାରୀଙ୍କ ନାମ ଥିବାବେଳେ ଏଥିରେ ଅଜିତଙ୍କ ନାମ ନାହିଁ । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । ଏପଟେ ଘର ଭାଙ୍ଗି ଦେଇଥିବାରୁ ଦିନରେ ଭଙ୍ଗା ଘରେ ରହୁଥିବା ବେଳେ ରାତିରେ ପିଲା ଛୁଆଙ୍କୁ ଧରି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି ।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ଅନ୍ତର୍ଗତ ଛଡା ଗ୍ରାମର ବାସିନ୍ଦା ହେଉଛନ୍ତି ଅଜିତ ସାହୁ । ଜନ୍ମ ହେବାର ୯ ବର୍ଷ ପରେ ଅଜିତଙ୍କ ବାପାଙ୍କ ମୃତ୍ୟୁ ପରେ ବହୁ ଦୁଃଖ କଷ୍ଟରେ ମାଟ୍ରିକ୍ ପର୍ଯ୍ୟନ୍ତ ପଢ଼ିବା ପରେ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟର ଏକ କମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ଦଇବ ସହିଲା ନାହିଁ କିଛି ବର୍ଷ ପରେ କ୍ୟାନସରରେ ପୀଡ଼ିତ ହୋଇ ତାଙ୍କ ମା’ବି ଆର ପାରିକୁ ଚାଲିଗଲେ । ପରିବାର କହିଲେ ଅଜିତଙ୍କ ସ୍ତ୍ରୀ ଏବଂ ଜଣେ ଝିଅ ଓ ଜଣେ ପୂଅ । ରହିବା ପାଇଁ ଘର ଖଣ୍ଡିଏ ନଥିବାରୁ ଦୀର୍ଘ ବର୍ଷ ଧରି ପଲିଥିନ ଘେରା ଭଙ୍ଗା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଅଜିତଙ୍କ ପରିବାର । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଇଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ବି ଶୁଣୁ ନାହାନ୍ତି । ଖରା ବର୍ଷା ଶୀତ କାକରରେ ପଲିଥିନ୍ ଘେରା ଭଙ୍ଗା ଘର ଭିତରେ ବହୁ କଷ୍ଟରେ ରହି ଅପେକ୍ଷା କରିଥିଲେ ସରକାରଙ୍କ ପକ୍ଷରୁ କେବେ ଘର ଖଣ୍ଡିଏ ମିଳିବ । ମାତ୍ର ଆବାସ ତାଲିକାରେ ତାଙ୍କ ନାମ ନଥିବାରୁ ଘର ପାଇବା ଆଶା ତାଙ୍କର ମଉଳି ଯାଇଛି । ତେଣୁ ଏହି ଅସହାୟ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ଏ ସମ୍ପର୍କରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । ତାକୁ ତଦନ୍ତ କରି ସେହି ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କୁ ଖୁବ୍ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
