ମେଡିସିନ ଷ୍ଟୋର ଓ ପାଥୋ ଲାବ ଓପରେ ଡ୍ରଗସ୍ ବିଭାଗର ଚଢାଉ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ମେଡିସିନ ଷ୍ଟୋର ଓ ପାଥୋ ଲାବ ଓପରେ ଡ୍ରଗସ୍ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ଡାକ୍ତରଖାନା ଚତୁଃପାଶ୍ୱର୍ରେ ବହୁ ସଂଖ୍ୟକ ଔଷଧ ଦୋକାନ ଓ ମଳ, ମୁତ୍ର, ରକ୍ତ, ଧାତୁ, କଫ ପ୍ରଭୃତି ପରୀକ୍ଷା ପାଇଁ ପାଥୋ ଲାବ ଗୁଡିକ ଗଢି ଉଠିଥିଲା । ଗୁରୁବାର କେନ୍ଦ୍ରାପଡା ଡ୍ରଗସ୍ ବିଭାଗ ପକ୍ଷରୁ କେତେକ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କ କାଗଜପତ୍ର ଓ ବୈଧତା ସଂପର୍କରେ ସରକାରୀ ପ୍ରମାଣପତ୍ର ଇତ୍ୟାଦି ଯାଂଚ କରାଯିବା ସହ ୩ଟି ଦୋକାନକୁ ସିଲ କରାଯାଇ ଥିବାବେଳେ କିଛି ଔଷଧ ଦୋକାନରୁ ବ୍ୟବହାର ତାରିଖ ଅତିକ୍ରମ କରିଥିବା ଔଷଧ ଗୁଡିକୁ ଜବତ କରାଯାଇ ଥିବା ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଠାରୁ ଶ୍ୟାମଗୁଡିଆକୁ ଉଠିଯିବା ପରେ ଏହାକୁ ନେଇ ୧୭ ତାରିଖରେ କେନ୍ଦ୍ରାପଡା ଟାଉନ ବନ୍ଦ ଡାକରା ଦିଆଯାଇ ଥିଲା । ବିଶେଷକରି ଏଥିରେ ଅତ୍ୟାବଶ୍ୟକୀୟ ସେବା ସଂସ୍ଥାଭାବେ ପରିଗଣିତ ମେଡିସିନ ଷ୍ଟୋର ଓ ପାଥୋ ଲାବ ଗୁଡିକ ଅତ୍ୟଧିକ ଉତ୍ସାହ ଦେଖାଇ ବନ୍ଦରେ ସାମିଲ ରହିଥିଲା । ତେବେ ଏହାକୁ ଆକ୍ରୋଷ ରଖି ଚଢାଉ କରାଯାଇ ଥିବା କେତେକ ଔଷଧ ଦୋକାନୀ ସୂଚନା ଦେଇଛନ୍ତି । ଚଢାଉ ବେଳେ ୨ଟି ପାଥୋଲାବ ଓ ଗୋଟିଏ ଔଷଧ ଦୋକାନକୁ ଡ୍ରଗସ୍ ବିଭାଗ ସିଲ କରି ଦେଇଛି । ପାଥୋଲାବର ଲାଇସେନ୍ସ ଓ ଆବଶ୍ୟକୀୟ କାଗଜପତ୍ର ନଥିବା ବେଳେ ଔଷଧ ଦୋକାନରୁ ବ୍ୟବହାର ତାରିଖ ଅତିକ୍ରମ କରିଥିବା ଔଷଧ ଗୁଡିକ ମିଳିଥିଲା । ଏହା ସହ ପୁରୁଣା ମେଡିକାଲ ନିକଟରେ ଥିବା କେତେକ ନର୍ସିଂହୋମ ଉପରେ ଚଢାଉ କରା୍ାଇ ଆବଶ୍ୟକୀୟ କାଗଜପତ୍ର ନଥିବା ଓ ରୋଗୀ ସେବା ଆଳରେ ବ୍ୟାପକ ଅନିୟମିତତା ହେଉଥିବା ଖବର ମିଳିବା ପରେ ଏହାକୁ ସିଲ କରାଯାଇ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉ ସମୟରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ତହସିଲଦାର ହେମଲତା ବାହାଲିଆ ଓ ଏସଡିପିଓ ଜୟନ୍ତ ମହାପାତ୍ର ସମେତ ଡ୍ରଗସ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
