ଓଡିଶାର ଗରିବ ଲୋକଙ୍କ ଅଧିକାର ଛଡାଇ ନେବାରେ ବିଜେପି ପାରଙ୍ଗମ : ବିଜେଡି
ଭୁବନେଶ୍ୱର : ଗତ ୧୪ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ଓଡିଶା ପାଇଁ ରଣନୀତି ବିଷୟରେ କହୁଛି ଏବଂ ଏଥିରେ ବିଫଳ ହେଉଛି । ଓଡିଶା ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ଷମତା ଏବଂ ରାଜନୀତି । ଓଡିଶାବାସୀଙ୍କ ପାଇଁ କାମ କରିବା କିମ୍ବା ଲୋକଙ୍କ ସମସ୍ୟାର ସମାଧାନ କରିବା ଏହାର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ରାଜ୍ୟ ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଓଡିଶା ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଉଛି । ଓଡିଶାର ଗରିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ଅଟକାଇବା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳକୁ ବନ୍ଦ କରିବା ହେଉ । ଓଡିଶା ବିଜେପି ଏବଂ ସେମାନଙ୍କ ନେତାମାନେ କେନ୍ଦ୍ରରେ ନିଜର ନେତୃତ୍ୱ ଆଗରେ ଓଡିଶାର ଲୋକଙ୍କ ଅଧିକାର ପାଇଁ କେବେହେଲେ ଲଢେଇ କରନ୍ତି ନାହିଁ । ଓଡ଼ିଶାର ଗରିବଙ୍କ ପ୍ରତି ରାଜ୍ୟ ବିଜେପିର ଅବହେଳା ବିଷୟରେ ଓଡିଶାବାସୀ ଭଲଭାବେ ଅବଗତ ଅଛନ୍ତି ଏବଂ ଗତ ପଂଚାୟତ ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନରେ ସେମାନଙ୍କୁ କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଓଡିଶାର ଲୋକମାନେ ଗରିବ ବିରୋଧୀ, ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।
