ବେଆଇନ ଶାମୁକା ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ
ଦଲାଲଙ୍କ ମାଧ୍ୟମରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଶାମୁକା
ବେଆଇନ କାରବାରକୁ ରୋକିବା ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ
ବାଲିଆପାଳ : ବାଲିଆପାଳ ବ୍ଲକରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଶାମୁକା ବ୍ୟବସାୟ । ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କିଛି ଅସାଧୁ ବ୍ୟକ୍ତି ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ଅଛନ୍ତି । ଦଲାଲମାନଙ୍କ ମାଧ୍ୟମରେ ଶାମୁକା ସବୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି । ପ୍ରତି ସପ୍ତାହରେ ୨ ଶହ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଶାମୁକା ବେଆଇନ ଭାବରେ ବିଭିନ୍ନ ଗାଡ଼ି ମାଧ୍ୟମରେ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ଜଣା ପଡ଼ିଛି । ଦିନ ଦ୍ୱିପହରରେ ସମୂଦ୍ର ବେଳାଭୂମିରୁ ଜାଲ ସାହାଯ୍ୟରେ ଶାମୁକା ସଂଗ୍ରହ କରାଯାଇ ସମୁଦ୍ର ବାଲିରେ ଶାମୁକା ଗୁଡ଼ିକ ପାହାଡ ଭଳି ଗଦା କରା ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜି ପରୋକ୍ଷରେ ଅସାଧୁ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।
ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ୬ଟି ପଞ୍ଚାୟତର ଅଧିକାଂଶ ଲୋକ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏବେ କିଛି ଅସାଧୁ ଲୋକ ବେଆଇନ ଭାବେ ଶାମୁକା ବିକ୍ରି କରି ମାଲେମାଲ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ସେହିପରି ଅଧିକ ଶାମୁକା ସଂଗ୍ରହ ଲକ୍ଷ୍ୟରେ ଧରାଳିମାନେ ବଡ଼ ବଡ଼ ଜାଲ ବସାଉଥିବାରୁ ଜାଲ ଭିତରେ ଜୀଅନ୍ତା ଶାମୁକା ସମେତ ମାଛ ଜାଆଁଳ ମଧ୍ୟ ପଡ଼ି ନଷ୍ଟ ହେଉଛି । ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସମୁଦ୍ରରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ଏହି ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି ଶାମୁକା ମାଫିଆ ମାନେ । ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ଜମ୍ଭିରାଇ ପଞ୍ଚାୟତର ସମୂଦ୍ର କୂଳରୁ ୨୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟେକ ଦିନ ସମୂଦ୍ର ବେଳାଭୂମିରେ ଛୋଟ ଫାସ ଥିବା ଜାଲ ବସାଇ ଥାନ୍ତି । ସମୂଦ୍ରର ଜୂଆର ଆସିଲେ ପାଣି ସହିତ ଜୀବନ୍ତ ଓ ମୃତ ଶାମୁକା ଭାସି ଆସିବା ପରେ ଜୂଆର ଛାଡ଼ିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି, ଏହାପରେ ଶାମୁକା ସବୁ ଗୋଟାଇ ବେଳାଭୂମିର ବିଭିନ୍ନ ସ୍ଥାନରେ ପାହାଡ଼ ଭଳି ଗଦା କରି ରଖିଥାନ୍ତି । ଯାହା ଫଳରେ ବେଳାଭୂମି ଅପରିଷ୍କାର ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ଯୋଗୁଁ ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଭଲରେ ବୁଲାବୁଲି କରି ପାରନ୍ତିନି । ଏହା ବ୍ୟତୀତ ଏହି ଅଞ୍ଚଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ପ୍ରତ୍ୟେକଦିନ ଶହ ଶହ ଲୋକେ ଶାମୁକା ଧରିବା ପାଇଁ ଜାଲ ବସାଉଥିବାରୁ ଆଉ ଅଲିଭ ରିଡ୍ଲେ ମଧ୍ୟ ଦେଖିବାକୁ ମିଳୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । ବିଶେଷ କରି ଜମ୍ଭିରାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ଶହ ଶହ ବସ୍ତା ଶାମୁକା ଗଦା ହୋଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚୁପ୍ ବସିଛି ପ୍ରଶାସନ । ସାଧାରଣତଃ ଏସବୁ ଶାମୁକା ଦଲାଲ ମାନଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଥିବା ଚୂନ, କୁକୁଡ଼ା ଖାଦ୍ୟ ଓ ମାଛ ଖାଦ୍ୟ ତିଆରି କାରଖାନାକୁ ଯାଉଥିବା ଜଣା ପଡ଼ିଛି ।
ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂଗୃହୀତ ହେଉଥିବା ଶାମୁକାକୁ ବସ୍ତା ପ୍ରତି ୫୦ରୁ ୧୦୦ ଟଙ୍କା ଦେଇ କିଣି ଏହାକୁ ପଶ୍ଚିମବଙ୍ଗରେ କ୍ୱିଣ୍ଟାଲ ପ୍ରତି ୪ ରୁ ୫ ହଜାର ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି ମାଫିଆ । ଏହି ବେଆଇନ ଶାମୁକା ଚାଲାଣ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନହାନ୍ତି । ତେଣୁ ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜମ୍ଭିରାଇ ଗ୍ରାମର ଭଗିରଥ ମଣ୍ଡଳ, ଗୟା ପ୍ରସାଦ ଜେନା, ମୃତ୍ୟୁଞ୍ଜୟ ରାଉତ, ଜନ୍ମେଜୟ ଗିରି, ହେମନ୍ତ ପ୍ରଧାନ,ହରିପଦ କରଣ, ବିଜୟ ମାଝି, ରବିନ୍ଦ୍ର ମହାନ୍ତି, ବିଜୟ କୁମାର ମଣ୍ଡଳ, ରାଜେଶ ଗଙ୍ଗାଇ ପ୍ରମୁଖ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଜଙ୍ଗଲ ବିଭାଗ ଏନେଇ ପ୍ରତିବନ୍ଧକ ଲଗାଇଲେ ପରିବେଶ ସନ୍ତୁଳନ ସହିତ ମାଛ ଯାଆଁଳ ସବୁ ନଷ୍ଟ ହେବାରୁ ମଧ୍ୟ ରକ୍ଷା କରାଯାଇ ପାରନ୍ତା ।
ଏନେଇ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇ ବେଆଇନ ଶାମୁକା ଚାଲାଣ ବନ୍ଦ କରାଯିବ ବୋଲି ପ୍ରକାଶ କରିଛନ୍ତି ।
