ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷରେ ଭାରତ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଦଳ ଉପକୃତ ହେବା ସହ ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିଛି । ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଂଚିଛି । ଭାରତର ରେଟିଂ ପଏଂଟ ୧୧୫ ଥିବା ବେଳେ ଅଷ୍ଟ୍ରେଲିଆର ରେଟିଂ ପଏଂଟ ୧୧୧ ରହିଛି ।
ଭାରତ ଶେଷ ଟେଷ୍ଟ ଶୃଙ୍ଖଳା ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଉକ୍ତ ଶୃଙ୍ଖଳାକୁ ଦଳ ୨-୦ରେ ଜିତିଥିଲା । ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଥିଲା । ଗତ କିଛି ସମୟରୁ ଆକ୍ରମଣାତ୍ମକ ଶୈଳୀରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଇଂଲଣ୍ଡ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି । ଦଳର ରେଟିଂ ପଏଂଟ ୧୦୬ ରହିଛି । ୧୦୦ ରେଟିଂ ପଏଂଟ ସହ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା(୮୫) ପଂଚମ ଏବଂ ୱେଷ୍ଟଇଣ୍ଡିଜ(୭୯) ଷଷ୍ଠରେ ଅଛନ୍ତି । ପାକିସ୍ତାନ ୭୭ ରେଟିଂ ପଏଂଟ ସହ ସପ୍ତମରେ ଥିବା ବେଳେ ଶ୍ରୀଲଙ୍କା(୭୧), ବାଂଲାଦେଶ(୪୬) ଏବଂ ଜିମ୍ବାୱେ(୨୫) କ୍ରମଶଃ ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ଅଛନ୍ତି । ଭାରତୀୟ ଦଳ ନିକଟରେ ତିନି ଫର୍ମାଟ୍ରେ ଶୀର୍ଷରେ ରହିବାର ବଡ ସୁଯୋଗ ରହିଛି । ଭାରତ ଟେଷ୍ଟ ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି । ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତି ନିଏ ତେବେ ଦିନିକିଆ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଂଚିଯିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ଶୃଙ୍ଖଳା ଜାନୁଆରୀ ୧୮ରୁ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ୧୧୭ ରେଟିଂ ପଏଂଟ ସହ ଦିନିକିଆ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି । ଭାରତ ୧୧୦ ରେଟିଂ ପଏଂଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଇଂଲଣ୍ଡ(୧୧୩) ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ(୧୧୨) ତୃତୀୟ ସ୍ଥାନରେ ରହିଛି ।
