ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୧୪ ହଜାର ଟଙ୍କା ଜୋରିମାନା
ବାଲେଶ୍ୱର : ନାବାଳିକା ବଳାତ୍କାର ମାମଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର ବିଚାର କରି ଅଭିଯୁକ୍ତ ସନ୍ତୋଷ ସିଂକୁ ୨୦ ବର୍ଷ ଜେଲଦଣ୍ଡ ସହ ୧୪ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଗତ ୨୦୨୦ ମସିହାରେ ନୀଳଗିରି ଅଞ୍ଚଳରେ ସନ୍ତୋଷ ସିଂ ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ସୂଚନା ଯେ, ଗତ ୨୦୨୦ ଜାନୁଆରୀ ୨୯ ତାରିଖ ଦିନ ୧୪ ବର୍ଷୀୟ ନାବାଳିକାର ପେଟ ଯନ୍ତ୍ରଣା ହେବାରୁ ମା’ଙ୍କୁ ଜଣାଇଥିଲେ । ନାବାଳିକାର କହିବା ଅନୁସାରେ ଗତ ୩ ମାସ ପୂର୍ବରୁ ଉକ୍ତ ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ ସିଂ ତାର ସାଙ୍ଗ ସହିତ ମିଶି ରାତି ୯ଟା ସମୟରେ ସ୍ଥାନୀୟ ଏକ ଦୋକାନକୁ ଡାକି ନେଇ ସେଠାରେ ମଦ ପିଆଇଥିଲେ । ପରେ ସନ୍ତୋଷର ସାଙ୍ଗ ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସନ୍ତୋଷ ନାବାଳିକାକୁ ଘରେ ଛାଡ଼ିଦେବାକୁ କହି ବିଲକୁ ଟେକି ନେଇ ବଳାତ୍କାର କରିଥିଲା । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ମା’ ଗ୍ରାମର ମୁଖିଆ ମାନଙ୍କୁ ଜଣାଇଥିଲେ । ସମାଧାନ ନିମନ୍ତେ ବୈଠକ ଡକାଯାଇଥିଲା । ବୈଠକକୁ ସନ୍ତୋଷ ଆସି ନଥିଲେ । ଫଳରେ ଗତ ୨୦୨୦ ଫେବୃଆରୀ ୬ ତାରିଖରେ ନୀଳଗିରି ଥାନାରେ ପହଞ୍ôଚ ଲିଖିତ ଅଭିଯୋଗ କରିଥିଲେ । ଏନେଇ ନୀଳଗିରି ଥାନା ମାମଲା (ନଂ. ୪୭ ।୨୦) ରୁଜୁ କରାଯାଇ ବାଲେଶ୍ୱର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାରଧୀନ ଥିଲା । ଉକ୍ତ ମାମଲାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର ବିଚାର କରି ମଙ୍ଗଳବାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୪ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଯୋଗାଇ ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।
