ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ସୋମବାର ଥିଲା ପ୍ରଥମ ଦିନ । ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀରେ ମୋଦି ଏକ ମେଗା ରୋଡ୍ ସୋ କରିଥିଲେ । ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ୨୦୨୩ରେ ଦେଶରେ ହେବାକୁ ଥିବା ୯ଟି ରାଜ୍ୟରେ ବିଧାନସଭାରେ ବିଜେପି ଜିତିବାକୁ ପ୍ରତିଶ୍ରୁତିବଦ୍ଧ ।
ବୁଥ ସ୍ତରରେ ଦଳକୁ ମଜବୁତ କରିବା ଉପରେ ଏବେ ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି । ଶ୍ରୀ ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ କ୍ରା ଏବଂ ସେଲଫୋନ୍ ଉତ୍ପାଦନ ସମେତ ଭାରତ ଅନେକ କ୍ଷେତ୍ରରେ ଆଗକୁ ବଢ଼ିଛି । ସେ କହିଛନ୍ତି, ଇଂଲଣ୍ଡକୁ ପଛରେ ପକାଇ ଭାରତ ପଂଚମ ବୃହତମ ଅର୍ଥନୀତି ଭାବେ ପରିଣତ ହୋଇଛି । ସେହିପରି ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ମୋବାଇଲ୍ ଉତ୍ପାଦନକାରୀ । ୨୦୧୩-୧୪ ମସିହାରେ ଆମେ ସେଲଫୋନ୍ ଆମଦାନୀ କରୁଥିଲୁ । ଆମେ ବର୍ତମାନ ସେଲଫୋନ୍ ରପ୍ତାନି କରୁଛୁ ବୋଲି ସେ କହିଛନ୍ତି । ଏହି ବୈଠକରେ ୩୫ କେନ୍ଦ୍ର ମନ୍ତ୍ରୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୩୭ଟି ରାଜ୍ୟର ସଭାପତି ଯୋଗ ଦେଉଛନ୍ତି । ଏଥିସହ ୩୫୦ ଜଣ ଦଳୀୟ କର୍ମୀ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି । ଦଳର ସଭାପତି ଭାବରେ ଜେପି ନଡ୍ଡାଙ୍କ ତିନି ବର୍ଷର କାର୍ଯ୍ୟକାଳ ଚଳିତ ମାସ ଶେଷରେ ଶେଷ ହେବ ଏବଂ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି ।
ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ମୋହର ବାଜିଛି । ଅର୍ଥାତ୍ ଜେପି ନଡ୍ଡା ଆସନ୍ତା ଏକ ବର୍ଷ ଯାଏ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ରହିବେ । ଏହି ଅବସରରେ ନଡ୍ଡା ବୈଠକକୁ ସମ୍ୱୋଧିତ କରିଛନ୍ତି । ନଡ୍ଡା କହିଛନ୍ତି ଯେ ଚଳିତ ବର୍ଷ ହେବାକୁ ଥିବା ସମସ୍ତ ନିର୍ବାଚନରେ ବିଜୟୀ ହେବା ଦରକାର । ଏଥିରେ ସହଯୋଗ କରିବା ପାଇଁ ସେ ପାର୍ଟିର ନେତା ଏବଂ କାର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେପି ନେତା ରବିଶଙ୍କର ପ୍ରସାଦ ଉଦଘାଟନୀ ଅଧିବେଶନରେ ନଡ୍ଡାଙ୍କ ଭାଷଣର ସୂଚନା ଦେଇଛନ୍ତି । ବିଜେପି ସାଂସଦଙ୍କ ଅନୁସାରେ, ନଡ୍ଡା କହିଛନ୍ତି ଯେ ୨୦୨୩ ମସିହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମକୁ ୯ ରାଜ୍ୟରେ ନିର୍ବାଚନ ଲଢିବାର ଅଛି । ନିର୍ବାଚନ ଲାଗି ଅଂଟା ଭିଡିବା ପାଇଁ ସେ ପୂରା କାର୍ଯ୍ୟକାରିଣୀଙ୍କୁ ଆହ୍ୱାନ ଦେଇ ସମସ୍ତ ୯ ରାଜ୍ୟ ଜିତିବାର ଅଛି ବୋଲି କହିଛନ୍ତି । ଦଳର ଅଧ୍ୟକ୍ଷ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଦୁନିଆର ପଂଚମ ବୃହତ ଅର୍ଥନୀତି, ମୋବାଇଲ ଫୋନର ଦ୍ୱିତୀୟ ସବୁଠୁ ବଡ଼ ନିର୍ମାତା, ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବଡ଼ ନିର୍ମାତା ହୋଇଛି । ସେ କହିଥିଲେ ଯେ ପୂର୍ବେ ପ୍ରତିଦିନ ୧୨ କିଲୋମିଟରର ରାଜମାର୍ଗ ନିର୍ମାଣ ହେଉଥିଲା, ଆଜି ୩୭ କିଲୋମିଟର ନିର୍ମାଣ ହେଉଛି । ଦେଶ ଆଜି ମାଗଣା ରାସନ ସହ ଅନେକ କଲ୍ୟାଣକାରୀ ଯୋଜନାରେ ଗରିବଙ୍କୁ ସଶକ୍ତ କରିବାର କାମ କରାଯାଉଛି ।
