କେନ୍ଦୁଝର ସମାଜସେବୀ ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ
କେନ୍ଦୁଝର : ଜିଲା ସଂସ୍କୃତି ଭବନଠାରେ ରବିବାର କେନ୍ଦୁଝର ସମାଜସେବୀ ମହାସଂଘର ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ସମାଜସେବୀ ମହାସଂଘର ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ଛାନିଆଁ ବୋଲି କହିବା ସହିତ ନିଜର ଦୋଷଦୁର୍ବଳତା ଲୁଚାଇବାକୁ ଯାଇ ଉଦ୍ଦେଶ୍ୟମୂଳକ ଭାବେ କେତେକ ସମାଜସେବୀଙ୍କୁ ପୁଲିସ ନାଲି ଆଖି ଦେଖାଇ ଭୟଭୀତ କରିବାକୁ ଯେଉଁ ଅପଚେଷ୍ଠା ଆରମ୍ଭ କରିଛନ୍ତି ତାହା କେବେବି ସଫଳ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ।
କେନ୍ଦୁଝରଗଡ ନଗରପାଳ ନିକୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାସଂଘ ପକ୍ଷରୁ ଜିଲାବ୍ୟାପୀ ଯେଉଁ ସମାଜସେବା କାର୍ଯ୍ୟ ହାତକୁ ନିଆଯାଇଛି ତାହା ବେଶ୍ ପ୍ରଶଂସାଯୋଗ୍ୟ କହିବା ସହିତ ଏଭଳି ମହାନ୍ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ, ସିଟିଜି ଫାଉଣ୍ଡେସନ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ, ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବଚରଣ ବାଗ, ସମାଜସେବୀ ଗୋପୀନାଥ ରାମ, ଗାନ୍ଧୀବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଭକ୍ତବତ୍ସଳ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାସଂଘ ପକ୍ଷରୁ ମହାମାରୀ କରୋନା ସମୟରେ ଯେଭଳି ଭାବେ କରୋନା ଆକ୍ରାନ୍ତଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀଙ୍କ ସୁରକ୍ଷା ପ୍ରତି ସହଯୋଗର ହାତ ବଢ଼ାଇ ଆସିଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମାଜସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜିଲା ତଥା ଜିଲା ବାହାରର ଶତାଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାସଂଘର ବରିଷ୍ଠ ସଦସ୍ୟ ପ୍ରିୟଦର୍ଶି ପଟ୍ଟନାୟକ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାନସ ରଞ୍ଜନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ସଞ୍ଜୀବ କୁମାର ସାହୁ ଉତ୍ସବରେ ଅଧ୍ୟକ୍ଷତା କରି ମହାସଂଘର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇ କିଭଳି ସମାଜସେବା ଭଳି ମହାନ୍ କାର୍ଯ୍ୟକୁ ଆଗେଇ ନିଆଯାଇ ପାରିବ ସେ ସମ୍ପର୍କରେ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆହ୍ୱାନ ଦେଇଥିଲେ। ସୌମାଶ୍ରୀ ଚାଟାର୍ଜିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଇନ୍ଦ୍ରଧନୁ ପରିବାର ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ବରିଷ୍ଠ ସଦସ୍ୟ ଉମାକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲାର ସମସ୍ତ ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନର ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ ଏହି ଉତ୍ସବ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
