ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି (ମଙ୍ଗଳବାର)ଠାରୁ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଆମର ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା । ୧୦ଟି ରୁ ସରକାର ୩ଟି ଦାବି ମାନିଛନ୍ତି । ବାକି ଦାବି ଗୁଡିକ ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ଏହି ସମୟ ସୁଦ୍ଧା ଦାବି ପୂରଣ ନହେଲେ ପୁନଶ୍ଚ ଏପ୍ରିଲ ମାସରୁ ଧର୍ମଘଟ ହେବ । ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି । ଆସନ୍ତାକାଲିଠାରୁ ବସ ଚଳାଚଳ ପୁଣି ସ୍ୱାଭାବିକ ଭାବେ ଚାଲିବ ।
ସୂଚନାଯୋଗ୍ୟ ଯେ ୧୦ ଦଫା ଦାବି ନେଇ ଘରୋଇ ବସ୍ ମାଲିକ ସଂଘ ଜାନୁଆରୀ ୧୭ ତାରିଖରୁ ଧର୍ମଘଟକୁ ଓହ୍ଲାଇବାକୁ ଘୋଷଣା କରିଥିଲା ।
