ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଘାଟିତ; ଅଂଶଗ୍ରହଣ କଲେ ୧୨ଶହ ପ୍ରତିଯୋଗୀ
ସିମୁଳିଆ : ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଖୋ-ଖୋ, ସଫ୍ଟବଲ ଓ ଟେନିକଏଟ ପ୍ରତିଯୋଗୀତା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଉଦ୍ଘାଟିତ ହୋଇଛି । ଏଥିରେ ୧୪ ଓ ୧୭ବର୍ଷ ବୟସରୁ କମ୍ ବାଳିକାବାଳକ ମାନେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ଏବଂ ଜିଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ବାଲେଶ୍ୱର ଦ୍ୱାରା ଆୟୋଜିତ ଏହି ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହି ଅବସରରେ ସୋମବାର ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଉଦ୍ଘାଟନ କରିଥିଲେ । ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭାରପ୍ରାପ୍ତ ଶାରିରୀକ ଶିକ୍ଷା ନୀରିକ୍ଷକ ଆଶୋକ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଶାରିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ରଘୁନାରାୟଣ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡ଼ା ଉତ୍ସବକୁ ପରିଚାଳନା କରିବା ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୨ଶହ ଶାରିରିକ କ୍ରୀଡା ନିରିକ୍ଷକ ଯୋଗ ଦେଇଛନ୍ତି ।

ସୂଚନା ଯେ, ବିଭିନ୍ନ ଜିଲାରୁ ଆସିଥିବା ଖେଳାଳୀ ମାନଙ୍କ ରହଣୀ ପାଇଁ ସିମୁଳିଆର ବିଭିନ୍ନ ୯ଟି ବିଦ୍ୟାଳୟର ଶିକ୍ଷା ଦାନ ବ୍ୟବସ୍ଥାକୁ ବନ୍ଧ କରାଯାଇ ସେଠାରେ ରହିବାର ବ୍ୟବସ୍ଥା କରାଯାଇଛି । ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ପାଇଖାନାର ସମସ୍ୟା ଯୋଗୁଁ ଛାତ୍ରୀଛାତ୍ର ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ସୋମବାର ସକାଳ ୭ଟାରୁ ଖେଳାଳୀ ଓ ଶିକ୍ଷକମାନେ ଯୋଗ ଦେଇଥିବା ବେଳେ ଅତିଥି ମାନେ ବିଳମ୍ବରେ ଯୋଗ ଦେବା ଯୋଗୁଁ ୧୧ଟା ୩୦ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନେକ ସମୟ ଅତିଥିମାନଙ୍କ ଭାଷଣ ଯୋଗୁଁ ଅସନ୍ତୋଷତା ପ୍ରକାଶ ପାଇଥିଲା । ମାର୍କୋଣା ରଘୁନାରାୟଣ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା ।
