ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ : ୟୁଏଇକୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କଲା ଭାରତ
ବେନୋନି : ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ଦ୍ବିତୀୟ ବିଜୟ। ସୋମବାର ଗ୍ରୁପ୍ ଡି ମ୍ୟାଚ୍ରେ ୟୁଏଇକୁ ୧୨୨ ରନ୍ରେ ହରାଇ ଏକ ବଡ଼ ବିଜୟ ହାସଲ କଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର୍ କରିଥିଲା। ଜବାବରେ ୟୁଏଇ ଦଳର ଆରମ୍ଭ ଖରାପ ହୋଇଥିଲା। ଦଳ ମାତ୍ର ୪୦ ରନରେ ତିନି ୱିକେଟ୍ ହରାଇଥିଲା । ୟୁଏଇର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ମଧ୍ୟ ଛୁଇଁ ପାରିନଥିଲେ। ଦଳ ପକ୍ଷରୁ ମିହିକା ଗୌର ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। ୟୁଏଇ ୫ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂର ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଶ୍ୱେତା ସେହରାୱତ ୧୦ଟି ଚୌକା ସହାୟତାରେ ୪୯ ବଲରେ ୭୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୧.୦୨ ଥିଲା। ଏଥିସହିତ ଓପନର ଦାୟିତ୍ଵ ସମ୍ଭାଳିବାକୁ ଆସିଥିବା କ୍ୟାପଟେନ ଶେଫାଳି ବର୍ମା ୨୨୯.୪୧ ଷ୍ଟ୍ରାଇକ ହାରରେ ୩୪ ଟି ବଲରେ ୭୮ ରନ୍ର ଏକ ଇନିଂସ ଖେଳିଥିଲେ।
ଏହା ବ୍ୟତୀତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ୨୯ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୫ ଟି ଚୌକା ଓ ୨ ଟି ଛକା ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୬୮.୯୭ ଥିଲା। ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗୋଙ୍ଗଡୀ ତ୍ରିଶା ୫ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ। ମ୍ୟାଚରେ ଚମତ୍କାର ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଟିଟସ୍ ସାଧୁ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୧ ୱିକେଟ ନେଇଥିଲେ, ଶବନମ୍ ୩ ଓଭରରେ ୨୧ ରନ୍ ଦେଇ ୧ ୱିକେଟ୍, ମନ୍ନତ କଶ୍ୟପ ୩ ଓଭରରେ ୧୪ ରନ୍ ଦେଇ ୧ ୱିକେଟ୍ ଏବଂ ପାର୍ଶଭି ଚୋପ୍ରା ୩ ଓଭରରେ ୧୩ ରନ୍ ଦେଇ ୧ ୱିକେଟ୍ ନେଇଥିଲେ।
