ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ
ରୂପସା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡ଼ା ଗ୍ରାମରେ ।
ସୁଚନା ମୁତାବକ ଚକ୍ରଡା ଗ୍ରାମର ଆଲୋକ ବେହେରାଙ୍କ ସହିତ ପଡ଼ୋଶୀ ରେଣୁପଦା ଗ୍ରାମର ମନୋରଞ୍ଜନ ପାଣିଗ୍ରାହୀଙ୍କ ସହ ପୂର୍ବରୁ ବିବାଦ ଲାଗି ରହିଥିଲା । ରବିବାର ଚକ୍ରଡ଼ା ହାଟ ଥିବାରୁ ମନୋରଞ୍ଜନ ହାଟ କରିବା ପାଇଁ ଚକ୍ରଡ଼ା ଆସିଥିଲେ । ହାଟରେ ଉଭୟ ମନୋରଞ୍ଜନ ଏବଂ ଆଲୋକର ଭେଟ ହୋଇଥିଲା । ହାଟ ମଝିରେ ଉଭୟଙ୍କ ଭିତରେ ବଚସା ହୋଇଥିଲା ଏବଂ ପରେ ଉଭୟ ଚାଲିଯାଇଥିଲେ । ମନୋରଞ୍ଜନ ଆଲୋକର ଘର ଆଗ ଦେଇ ଯାଉଥିବା ବେଳେ ଆଲୋକ ଏକ କଟୁରୀ ଆଣି ମନୋରଞ୍ଜନର ମୁଣ୍ଡ ଓ ମୁହଁକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମନୋରଞ୍ଜନ ବେକ ଓ କାନ ସହିତ ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ରାସ୍ତାରେ ରକ୍ତ ଯୁଡୁବୁଡୁ ହୋଇ ଛଟପଟ ହେଉଥିଲା ବେଳେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ଆହତ ଯୁବକଙ୍କ ପତ୍ନୀ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି ।
