୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ
ନୂଆଦିଲ୍ଲୀ : ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାର ଠାରୁ ଖୋଲିବ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଛି । ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରୋନା ନିୟମାବଳୀ ପାଳନ ହେବ ।
ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ଆସନ୍ତା ୧୬ ତାରିଖରୁ ବିଭାଗ ଅଧିନରେ ସାରା ଦେଶରେ ଥିବା ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମଗୁଡ଼ିକ ଖୋଲିବ । ଓଡ଼ିଶାରେ ଏସଆଇ ଦ୍ୱାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ୟ୍ୟ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ଏହା ସହିତ ୩ଟି ମ୍ୟୁଜିୟମ ଲଳିତଗିରି, ରତ୍ନଗିରି ଓ କୋଣାର୍କଠାରେ ରହିଛି । ଏସବୁ ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମ ଏଏସଆଇ ଭୁବନେଶ୍ୱର ସର୍କଲ ଅଧିନରେ ଆସୁଛି ।
