ପାଣ୍ଡବଘେରାରେ ମକର ମେଳା ପାଳନ
ଔପଦା : ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିନଚିଡ଼ା ଗ୍ରାମ ନିକଟ ପାହାଡ଼ ଶିଖରରେ ବହୁ ପୁରାତନ ପାଷାଣ କ୍ଷେତ୍ର ପାଣ୍ଡବଘେରାରେ ମକର ମେଳା ପାଳନ କରାଯାଇଛି । ଏହି ମକର ମେଳାରେ ବିଭିନ୍ନ ଅଞ୍ଚଳରୁ ହଜାରହଜାର ଯାତ୍ରୀଙ୍କ ସମାବେଶ ହୋଇଥିଲା ।
ମାଘ ମାସ ମକର ସଂକ୍ରାନ୍ତିରେ ଏହି ମେଳା ହେଉଥିବା ବେଳେ ଏହା ୨ ଦିନ ଧରି ଚାଲେ । ଜଙ୍ଗଲର ମନରୋମ ଦୃଶ୍ୟ ସହ ପାହାଡ଼ର ପଥର ଗୁମ୍ଫା ଗୁଡିକ ଯାତ୍ରୀମାନେ ଦେଖି ବେଶ ଉପଭୋଗ କରନ୍ତି । ପାହାଡ଼ର ୫ ଶହରୁ ଉର୍ଦ୍ଧ୍ୱ ଫୁଟ ଉଚ୍ଚରେ ଥିବା ଏକ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ପୂଜା କରାଯାଏ । ସେହି ପାହାଡ଼ ଶିଖରରେ ସାଧୁ, ସନ୍ନ୍ୟାସୀ ଓ ଆଧ୍ୟାତ୍ମିକଙ୍କ ପକ୍ଷରୁ ଯଜ୍ଞ ଓ ନାମସଂକୀର୍ତ୍ତନ କରାଯାଏ । ଲୋକ କଥାରେ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବନବାସ ସମୟରେ ସେଠାରେ ପାଣ୍ଡବ ମାନେ ବସବାସ କରୁଥିବା କିମ୍ବଦନ୍ତୀରୁ ଜଣାଯାଏ । ପାଣ୍ଡବମାନଙ୍କର ପାଠଶାଳା, ପେଜନଳା, ଦ୍ରୌପଦୀଙ୍କର ଶୟନକକ୍ଷ ସେଠାରେ ଥିବା ବଡ଼ବଡ଼ ପଥରଗୁମ୍ଫାରୁ ଲୋକ ମତରେ ଜଣାଯାଏ । ପ୍ରତିବର୍ଷ ମାଘ ମାସ ମକର ସଂକ୍ରାନ୍ତିରେ ଏହି ମେଳା ହେଉଥିବା ବେଳେ ପାହାଡ଼ ଶିଖରରେ ମେଳା ସ୍ଥାନକୁ ଯିବା ପାଇଁ ରାସ୍ତାଟିଏ ନଥିବାରୁ ଯାତ୍ରୀମାନେ ବହୁ କଷ୍ଟରେ ବିପଦ ଅବସ୍ଥାରେ ଯାଉଥିବା ଦେଖାଯାଏ । ଏହି ମକରମେଳାରେ ପାନୀୟଜଳ ଓ ଆଲୋକର ବ୍ୟବସ୍ଥା ମଧ୍ୟ ନାହିଁ । ବହୁ ପୁରାତନ ଏହି ମକର ମେଳା ହେଉଥିବା ବେଳେ ବିଭିନ୍ନ ଦଳର ରାଜନେତାଙ୍କ ଠାରୁ କ୍ଷମତାଶୀଳ ନେତାଙ୍କ ପର୍ଯ୍ୟନ୍ତ ସେଥିପ୍ରତି ଦୃଷ୍ଟି ପଡୁଥିବା ଜଣାଯାଉଛି । ଏହି ମେଳାଟି ସରକାରୀସ୍ତରରେ ଏକ ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଁ ସାଧାରଣରେ ବାରମ୍ବାର ଦାବି ହେଉଥିଲେ ବି ତାହା କାର୍ଯ୍ୟକାରୀ ହେଇପାରୁ ନାହିଁ । ମେଳାରେ ବିଭିନ୍ନ ବ୍ୟବସାୟୀ ମାନେ ପସରା ମେଳାଇଥିବା ବେଳେ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଓ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଯାତ୍ରୀମାନଙ୍କ ଯିବାଆସିବା ଓ ପାନୀୟ ଜଳର ବ୍ୟବସ୍ଥା କରିଥିବା ଜଣାଯାଇଛି ।
