ସୁଲଗ୍ନା ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁସନସ୍ର ତ୍ରୟୋଦଶ ବାର୍ଷିକ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ସରିତାନଗର ସ୍ଥିତ ସୁଲଗ୍ନା ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁସନସ୍ର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଛି । ସମାରୋହରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଯୋଗ ଦେଇ ଶିକ୍ଷା ସଭ୍ୟତାକୁ ଦିଏ ନୂତନ ଉଚ୍ଚତା । ଶିକ୍ଷା ହିଁ ମଣିଷ ଜୀବନକୁ ମାର୍ଜିତ ଓ ପରିଶୋଭିତ କରେ । ଦେଶ ଓ ଜାତିର ସାମଗ୍ରିକ ବିକାଶ ପାଇଁ ଚରିତ୍ରବାନ ତଥା ମେଧାଶକ୍ତି ସମ୍ପର୍ଣ୍ଣ ଛାତ୍ରଛାତ୍ରୀଙ୍କର ଆବଶ୍ୟକତା ରହିଛି । ସୁଲଗ୍ନା ଶିକ୍ଷାୟତନର ଭିତିଭୂମି ଏବଂ ନିଆରା ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିଥଲେ । ଏଥିସହିତ ଛାତ୍ରୀଛାତ୍ରମାନଙ୍କର ବୈଜ୍ଞାନିକ ମନୋବୃତିର ବିକାଶ ଦିଗରେ ନିରନ୍ତର ଅଧ୍ୟୟନ ଓ କଠୋର ପରିଶ୍ରମୀ ହେବା ଉଚିତ୍ ବୋଲି ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ମାନ୍ୟବର ରାଜ୍ୟପାଳଙ୍କୁ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ଛାତ୍ରୀଛାତ୍ରଙ୍କ ଦ୍ୱାରା ରାଷ୍ଟ୍ରୀୟ ଅଭିବାଦନ ଏବଂ ସ୍ୱାଗତ ଜ୍ଞାପନ କରାଯାଇଥିଲା । ପରେ ରାଜ୍ୟପାଳ କଳେଜ ପରିସର ସ୍ଥିତ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ନିକଟରେ ପୁଷ୍ପ ଗୁଛ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସୁଲଗ୍ନାର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଘନଶ୍ୟାମ ବିଶ୍ୱାଳ ପୌରହିତ୍ୟ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ବିଶିଷ୍ଟ କବି ତଥା ପ୍ରତିଭାଶ୍ରୀ ମୁଖ୍ୟ ପ୍ରଶାନ୍ତ ଦାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଡ. ବିଜୟାନନ୍ଦ ସିଂ ଓ ସୁଲଗ୍ନା ପ୍ରତିଷ୍ଠାନର ଉପଦେଷ୍ଟା ବଂଶୀଧର ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କର ସୃଜନାତ୍ମକ ଶକ୍ତିର ବିକାଶ ଦିଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉତ୍ସବରେ ସୁଲଗ୍ନା ଆଇକନ ଆୱାର୍ଡ ଆଇନଜୀବି ହରେକୃଷ୍ଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ଡା. ସରୋଜ ରାଜ, ଡା. ବିଶ୍ୱନାଥ ସାହୁ ଓ ଶିକ୍ଷକ ଭଗବାନ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ସୁଲଗ୍ନା ଶିକ୍ଷାନୁଷ୍ଠାନରୁ ସଫଳତାର ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିବା ଅମିତ କୁମାର ସେଠୀ ଓ ରଶ୍ମିତା ଜେନା, ପାଟନା ଏମ୍ସରେ ଅଧ୍ୟୟନରତ ସ୍ୱପ୍ନିଲ ଦାଶ ମହାପାତ୍ର, ଓଡ଼ିଶାର ବିଭିନ୍ନ ମେଡିକାଲ କଲେଜରେ ଅଧ୍ୟୟନରତ ହିମାଂଶୁ ପ୍ରଧାନ, ନିଖିଳ ଦେହୁରୀ, ପ୍ରାଣେଷୁ ପଣ୍ଡା, ଲାଲ କୃଷ୍ଣ ବେହେରା, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଟପର ଭାରତୀ ଗୁପ୍ତା, କଣ୍ଠଶିଳ୍ପୀ ସତ୍ୟବ୍ରତ ଜେନା, ଲିପ୍ସା ମହାପାତ୍ର ଓ ଅମ୍ଲାନ ଆର୍ଯ୍ୟରାଜ ସିଂହ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ଅଭିନୟ ପରିବେଷିତ ହେବା ସହ ପୂର୍ବ ଆୟୋଜିତ ବିବିଧ ପ୍ରତିଯୋଗିତାର ବିଜେତା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯିବା ପରେ ଶିକ୍ଷାନଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମିଷ୍ଟର ସୁଲଗ୍ନା ଏବଂ ମିସ୍ ସୁଲଗ୍ନା ଚୟନ ଓ ଟାଇଟଲ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଶିକ୍ଷାୟତନର ବାର୍ଷିକ ସ୍ମରଣୀକା ‘ସୁଲଗ୍ନା’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଡ଼ମିନ୍ ମେମ୍ବରସ୍, ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ, ବୁଦ୍ଧିଜୀବୀ, ଅଭିଭାବକ ଏବଂ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।
