ଆଜି ଓଡ଼ିଶା ଆସିବ ବିଜୁଙ୍କ ଡାକୋଟା ବିମାନ !
କଲକାତା : ଆଜି ଓଡ଼ିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ । ବିଜୁ ବାବୁଙ୍କ ଡାକୋଟା ବିମାନ କଲକାତାରୁ ଭୁବନେଶ୍ୱର ଯିବାର ପ୍ରସ୍ତୁତି ଶେଷ ହୋଇଛି। ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନର ବିଭିନ୍ନ ଅଂଶକୁ ଅଲଗା କରାଯିବା କାର୍ଯ୍ୟ ଶେଷ ହୋଇଛି। ଦୁଇଟି ବଡ ଟ୍ରକରେ ବିମାନର ବିଭିନ୍ନ ଅଂଶ ପ୍ୟାକିଙ୍ଗ ହୋଇ ସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଟ୍ରକ୍ରେ ନେବାର ପାସ ତିଆରି ହୋଇନାହିଁ। ଯଦି ସୋମବାର ସକାଳ ସମୟରୁ ଟ୍ରକ୍ ବାହାରିବା ଅନୁମତି ପତ୍ର ପ୍ରସ୍ତୁତ ହୋଇଯାଏ, ତାହେଲେ ଅପରାହ୍ନରେ କଲକାତା ବିମାନ ବନ୍ଦରରୁ ଡାକୋଟାବାହୀ ଟ୍ରକ୍ ଓଡ଼ିଶା ଅଭିମୁଖେ ବାହାରିବ। ଏରୋସ୍ପେସ ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର୍ ମହା ପ୍ରବନ୍ଧକ ଦେବାଶିଷ ମହାନ୍ତିଙ୍କ ତତ୍ତ୍ବାବଧାନରେ ବିମାନର ଅଂଶ ବିଶେଷକୁ ୫ ଯନ୍ତ୍ରୀ ପୃଥକ୍ କରିବା କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ବିମାନ ବନ୍ଦର ପରିଚାଳକ ମନୋଜ କୁମାର ବେହେରା କହିଛନ୍ତି।
ସୂଚନା ଯେ, କଲିକତା ଠାରେ ଦୀର୍ଘବର୍ଷ ଧରି ରହିଥିବା ଡାକୋଟାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟକୁ ଅଣାଯିବ । ଐତିହାସିକ ଡାକୋଟା ରାଜ୍ୟକୁ ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବେ । ଡାକୋଟାକୁ ଏକ ସ୍ୱତନ୍ତ୍ର ଯାନରେ ଅଣାଯାଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସଂରକ୍ଷିତ କରି ରଖାଯିବ । ପାଖାପାଖି ୭୪ ଫୁଟ ଓ ୯୫ ଫୁଟର ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା ।
