ଆଜି ଠାରୁ ଲାଗିବ ଆବାସ ଯୋଗ୍ୟ ହିତାଧିକାରୀଙ୍କ ତାଲିକା, ଅଭିଯୋଗ ଉପରେ କରାଯିବ ସ୍ୱତନ୍ତ୍ର ଗ୍ରାମସଭା
୯.୫୯ଲକ୍ଷ ପରିବାରକୁ ମିଳିବ ଘର
୨୪ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ
ଅନୁମୋଦନ ପ୍ରଦାନ କରିବ ଗ୍ରାମସଭା
ଭୁବନେଶ୍ବର : ବହୁ ବାଦବିବାଦ ପରେ ପ୍ରାୟ ୩ବର୍ଷ ପରେ ଓଡ଼ିଶାର ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୩୦ ଜିଲାରୁ ୮.୧୭ଲକ୍ଷ ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)- ସ୍ବତନ୍ତ୍ରରେ ୧୪ ଜିଲାର ଫନି କ୍ଷତିଗ୍ରସ୍ତ ୧.୪୨ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ। ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବା ପୂର୍ବରୁ ସର୍ଭେ କରି ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସୋମବାର ଠାରୁ ଏହି ୯.୫୯ଲକ୍ଷ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତୱାରୀ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦର୍ଶିତ ହେବ। ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ କାହାର ଅଭିଯୋଗ ଥିବ ତେବେ ଜାନୁଆରି ୨୪ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ହିତାଧିକାରୀ ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦିଷ୍ଟ ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ଦାଖଲ ପାଇଁ ଉଦ୍ଦିଷ୍ଟ ଦରଖାସ୍ତଫର୍ମକୁ ପୂରଣ କରି ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ବାକ୍ସରେ ଅଭିଯୋଗକାରୀ ଦାଖଲ କରିପାରିବେ, କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୭୦ ବା ୧୫୫୩୩୫ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ। ଏହାସହ ଅନଲାଇନ ମାଧ୍ୟମରେ https://www.rhodisha.gov.in ପୋର୍ଟାଲରେ ନିଜ ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ। ଏହି ଅଭିଯୋଗ ଆସନ୍ତା ଜାନୁଆରୀ ୨୪ ତାରିଖ ସୁଦ୍ଧା କରିହେବ। ପ୍ରାପ୍ତ ଅଭିଯୋଗଗୁଡ଼ିକର ସରଜମିନ ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବI ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀ ମନୋନୟନକୁ ପ୍ରାଥମିକତା ଦିଆଯାଉଥିବା ବୋଲି ଶ୍ରୀ ଲୋହାନୀ କହିଛନ୍ତି। ଅନ୍ୟପକ୍ଷରେ ଏଣିକି ଆବାସ ଘରଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଲୋଗୋ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ପୂର୍ବରୁ ଏନେଇ ବହୁ ଅଭିଯୋଗ ଆସିବା ପରେ କେନ୍ଦ୍ରକୁ ରାଜ୍ୟ ସରକାର ଏ ବାବଦରେ ଜଣାଇଛନ୍ତି। ତେବେ ପୂର୍ବପରି ବିଜୁ ପକ୍କାଘର ଲୋଗୋ ଉକ୍ତ ଘରଗୁଡ଼ିକରେ ଲାଗିବ ନା ନାହିଁ; ସେ ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ସରକାର ନିଜସ୍ବ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି I ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦। ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ବିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ-ଆଇଏପି ଜିଲାଗୁଡ଼ିକରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ, ସମନ୍ବିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଆଇଏପି ଜିଲାଗୁଡ଼ିକରେ ଏହା ୧,୩୦,୦୦୦ ଟଙ୍କା। ଏତଦବ୍ୟତୀତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଅଣ-ଆଇଏପି ଜିଲାରେ ୯୦ ଦିନ ଓ ଆଇଏପି ଜିଲାରେ ୯୫ ଦିନ ପର୍ଯ୍ୟନ୍ତ ମଜୁରୀ ମିଳିଥାଏ। ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨,୦୦୦ ଟଙ୍କା ମିଳୁଛି। ଅର୍ଥାତ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଅଣଆଇଏପି ଜିଲାଗୁଡ଼ିକରେ ୧,୭୨,୦୦୦ ଟଙ୍କା ମିଳୁଥିବାବେଳେ ଆଇଏପି ଜିଲାରେ ୧,୮୨,୦୦୦ ଟଙ୍କା ମିଳୁଛି। ବର୍ତ୍ତମାନର ଆବଣ୍ଟନ ପଦ୍ଧତି ଅନୁଯାୟୀ, ଆଗାମୀ ୬-୮ ମାସ ମଧ୍ୟରେ ରାଜ୍ୟକୁ ୧୬ ହଜାର କୋଟି ଟଙ୍କାରୁ ୧୭ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିବ। ଏହି ସାଢେ ୯ ଲକ୍ଷ ଗୃହ ନିର୍ମାଣରେ ଆସନ୍ତା ୬-୮ ମାସ ମଧ୍ୟରେ ପ୍ରାୟ ୬ କୋଟି କୁଶଳୀ ଏବଂ ୧୦ କୋଟି ଅଣ-କୁଶଳୀ କାର୍ଯ୍ୟ ଦିବସ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ, ଗ୍ରାମୀଣ ଆବାସ ଉପ ନିର୍ଦେଶକ କୁଳମଣି ମିଶ୍ର ଉପସ୍ଥିତ ଥିଲେ।
