କରୋନାରୁ ପିଲାଙ୍କୁ ନିରାପଦ ରଖିବାକୁ ଗାଇଡ୍ଲାଇନ୍ ଜାରି କଲା ଆୟୁଷ ମନ୍ତ୍ରାଳୟ
ନୂଆଦିଲ୍ଲୀ : ପିଲାଙ୍କୁ କୋଭିଡ୍-୧୯ରୁ ନିରାପଦ ରଖିବାକୁ ଗାଇଡ୍ଲାଇନ୍ ଜାରି କଲା ଆୟୁଷ ମନ୍ତ୍ରାଳୟ। ଆୟୁଷ ମନ୍ତ୍ରାଳୟ ଜାରି କରିଥିବା ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ସବିଶେଷ ବିବରଣୀଯୁକ୍ତ ଏକ ‘ଡକ୍ୟୁମେଣ୍ଟ୍’ କୋଭିଡ୍-୧୯ ସଂକ୍ରମଣରୁ ପିଲାମାନଙ୍କୁ ନିରାପଦ ରଖିବା ନିମନ୍ତେ ‘ଗାଇଡ୍ଲାଇନ୍’ ଭଳି କାମ ଦେବ। ଏହି ‘ଡକ୍ୟୁମେଣ୍ଟ୍’ର ଶୀର୍ଷକ ରହିଛି ‘କୋଭିଡ୍-୧୯ ମହାମାରୀ ବେଳେ ପିଲାଙ୍କ ପାଇଁ ଘରୋଇ ଯତ୍ନ ମାର୍ଗଦର୍ଶିକା ଏବଂ ପିଲାଙ୍କ ସୁରକ୍ଷା ନିମନ୍ତେ ଆୟୁଷ ଡାକ୍ତରଙ୍କ ନିମନ୍ତେ ବିଭିନ୍ନ ପରାମର୍ଶ’।
୫୮ ପୃଷ୍ଠା ସମ୍ବଳିତ ଏହି ବିବରଣୀ ପତ୍ରରେ ମନ୍ତ୍ରାଳୟ କହିଛି, ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ସାମାନ୍ୟ ହେଉଥିଲେ ମଧ୍ୟ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ଅଧିକାଂଶ ପିଲାଙ୍କ ଲାଗି ନିର୍ଦ୍ଦିଷ୍ଟ କୌଣସି ଚିକିତ୍ସା ଆବଶ୍ୟକ ନାହିଁ। ଏହି ମାରାତ୍ମକ ଭୂତାଣୁ କବଳରୁ ପିଲାଙ୍କୁ ନିରାପଦ ରଖିବା ନିମନ୍ତେ ସତର୍କତା ଅବଲମ୍ବନ ହିଁ ସର୍ବୋତ୍ତମ ଉପାୟ। ମାସ୍କ୍ ପିନ୍ଧା, ଯୋଗାସନ, ଆୟୁର୍ବେଦୀୟ ଏବଂ ପୋଷକତତ୍ତ୍ବଯୁକ୍ତ ପ୍ରତିରକ୍ଷାତ୍ମକ ଔଷଧ ଉପଚାର, ଟେଲିଫୋନ୍ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ, କୋଭିଡ୍-୧୯ ୫ଟି ଲକ୍ଷଣ ପ୍ରତି ଦୃଷ୍ଟି ଦେବା ଏବଂ ପିତାମାତାମାନେ ଟିକା ନେବା ଆଦି କେତେକ ଉତ୍ତମ ପରାମର୍ଶ ଉକ୍ତ ‘ଡକ୍ୟୁମେଣ୍ଟ୍’ରେ ଉଲ୍ଲେଖ ଅଛି। ସେହିପରି ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଖୁବ୍ ଟାଣୁଆ ଥିଲେ ବି କେତେଗୁଡ଼ିଏ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ ଭୂତାଣୁ ପ୍ରକଟ ହେଉଥିବାରୁ ସେମାନଙ୍କର ପ୍ରଭାବ ପ୍ରତିହତ କରିବା ଲାଗି କୋଭିଡ୍-୧୯ ସମ୍ବନ୍ଧୀୟ ସମସ୍ତ ନିୟମ ମାନିବା ଉଚିତ। ଆବଶ୍ୟକ ତଳେ ସୁଶିକ୍ଷିତ ‘ଆୟୁଷ ଚିକିତ୍ସକ’ଙ୍କ ପରାମର୍ଶ ନେବା ଜରୁରୀ।
