ଅରୁଣୋଦୟ କଲେଜର ବାର୍ଷିକ ଉତ୍ସବ
ବାରିପଦା : ବାରିପଦା ଦାମୋଦରପୁର ସ୍ଥିତ ଅରୁଣୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରୋଫେସର କାର୍ତିକ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଧାୟକ ସୁଦାମ ମାରାଣ୍ଡି , ମୁଖ୍ୟ ବକ୍ତା ଭାବରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ନାରାୟଣ ପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବରେ ଏସ.ଡି.ସି. ଚେୟାରମ୍ଯାନ ଡକ୍ଟର ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା, ବାରିପଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରବୋଧ କୁମାର ଦେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ପରମେଶ୍ୱର ଦେ ମଂଚ ଆବାହନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କଲେଜର ମୁଖ୍ୟ ପରିଚାଳକ ବିନୋଦ ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଉତ୍ସବରେ ଓଡିଶାର ସିନେ ଅଭିନେତା ସ୍ୱରାଜ ବାରିକଙ୍କୁ ଭୂମିପୁତ୍ର ଓ ସୁନ୍ଦରୀ ପ୍ରତିଯୋଗୀତା ବିଜୟିନୀ ସତାଦୃତି ମହାନ୍ତି ଙ୍କୁ ସମ୍ମାନିତ କରାଯାଇଥିଲା । ବିଗତ ବର୍ଷ ମୟୂରଭଂଜ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବ ନମ୍ବର ରଖିଥିବା ଅରୁଣୋଦୟ କଲେଜର ଛାତ୍ରୀ ଜ୍ୟୋତିସ୍ମିତା ବେହେରା, ପ୍ରତ୍ୟାଶା ବାରିକ ଓ ଛାତ୍ର ଓମ ପ୍ରକାଶ ବେହେରା ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ମନୋରଂଜନ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଅଭିନୀତ ନାଟକ ମିଛ ସମ୍ପର୍କ ବେଶ୍ ଉପଭୋଗ୍ୟ ହୋଇଥିଲା । ମହାବିଦ୍ୟାଳୟ ର ଉପନିର୍ଦ୍ଦେଶକ ମହେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପିକା ଅଧ୍ୟାପକ ସହଯୋଗୀ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
