ବିଦ୍ୟୁତ୍ ସଂଯୋଗ ନଥିବାରୁ ଡିବିରି, ଲଣ୍ଠନ ଧରି ଗ୍ରାମବାସୀଙ୍କ ଧାରଣା
କେନ୍ଦ୍ରାପଡ଼ା : ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମକୁ ଆସି ପାରିନି ବିଦ୍ୟୁତ୍ ସଂଯୋଗ । ଆଜି ମଧ୍ୟ ଏହି ଦଳିତ ବସ୍ତିର ୫୦ରୁ ଉର୍ଦ୍ଧ୍ୱ ପରିବାର ଡିବିରି ଓ ଲଣ୍ଠନ ଆଲୁଅରେ ଜୀବନ ଯାପନ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରି ବ୍ଲକର ମହାକାଳପଡା ଦଳିତ ବସ୍ତିରେ । ଏହି ବ୍ଲକ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଏହି ମହାକାଳପଡା ଦଳିତ ବସ୍ତିଟି ଇନ୍ଦୁପୁର ବିଦ୍ୟୁତ୍ ସବ୍ଡିଭିଜନ ଅଧିନରେ ରହିଛି । ଫଳରେ ଅଲଗା ଅଲଗା ଜିଲ୍ଲା କାରଣରୁ ବିଦ୍ୟୁତ୍ ସଂଯୋଗ ହୋଇପାରୁ ନାହିଁ । ଅପର ପକ୍ଷରେ ଜମିବାଡି ସମସ୍ୟା ଓ ଯାତାୟତର ଅସୁବିଧା ପାଇଁ ବିଦ୍ୟୁତ୍ ବିଭାଗ ଏପର୍ଯ୍ୟନ୍ତ ସେବା ଯୋଗାଇ ପାରିନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ଅଭିନବ ଉପାୟରେ ଜିଲ୍ଲା ପ୍ରଶାସନ ନିକଟରେ ଧାରଣା ଦେଇଛନ୍ତି । ଶୁକ୍ରବାର ବହୁ ଗ୍ରାମବାସୀ ଡିବିରି ଓ ଲଣ୍ଠନ ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ କର୍ମକର୍ତା ସେମାନଙ୍କ ନିକଟରେ ରିପୋର୍ଟ ଲେଖା ହେବା ବେଳକୁ ପହଁଚି ପାରିନଥିବା ଜଣାପଡିଛି ।
