କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବରେଡକ୍ରସ, ଏନ.ଏସ.ଏସ.ଓ ଏନ.ସି.ସି. ପକ୍ଷରୁ ମିଳିତ ଭାବରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ସୁ ସମାଜ ଓ ସୁଚରିତ୍ର ଗଠନ ପାଇଁ ଅଧ୍ୟକ୍ଷ ପ୍ରଫେସର ବେହେରା ଆହ୍ୱାନ ଦେଇଥିଲେ । ଯୁବ ରେଡକ୍ରସ ଅଧିକାରୀ ପ୍ରଫେସର ବିକାଶ କୁମାର ନାୟକ, ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା, ଏନ.ସି.ସି. ଅଫିସର ମେଜର ମନୋରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସହର ପରିକ୍ରମାରେ ବାହାରି ତିନିମୁହାଣି ଠାରୁ ଦୁହୁରିଆ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏଥିସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବ୍ରହ୍ମକୁମାରୀ ଶଶୀରେଖା ଯୋଗଦେଇ ସେବା, ଧର୍ମ, ଆଧ୍ୟାତ୍ମିକତା, କର୍ତ୍ତବ୍ୟନିଷ୍ଠା ଓ ସତଚରିତ୍ର ଗଠନ ଉପରେ ଆଲୋଚନା କରିଥିଲେ । ବ୍ରହ୍ମକୁମାରୀ ରଞ୍ଜିତା ରାଜଯୋଗ ଅଭ୍ୟାସ କରାଇଥିଲେ । ଲେଫ୍ଟନାଣ୍ଟ ସୀମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରଫେସର ବିକାଶ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ଏବଂ ପ୍ରଫେସର ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଶୋକ କୁମାର ଦାସ, ଗୈାରପ୍ରସାଦ ଷଡଙ୍ଗୀ, ସତ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
