କଞ୍ଝାୱାଲା ହିଟ୍ ଆଣ୍ଡ୍ ରନ୍ ମାମଲା : ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ନୂଆଦିଲ୍ଲୀ କଞ୍ଝାୱାଲା ହିଟ୍ ଆଣ୍ଡ୍ ରନ୍ ମାମଲାର ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ କଲା ଦିଲ୍ଲୀର ଏକ କୋର୍ଟ । କଞ୍ଝାୱାଲାରେ ଗତ ଡିସେମ୍ବର ୩୧ ରାତିରେ ଜଣେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେବା ପରେ ତାଙ୍କୁ ଏକ ମାରୁତି ବଲେନୋ କାର୍ ବହୁ ଦୂର ଘୋଷାଡି ନେଇଥିଲା । ମହିଳା ଜଣଙ୍କ ମୃତ୍ୟୁ ହୋଇଥିଲା । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସାନିଆ ଦଲାଲ୍ କହିଛନ୍ତି ଯେ ଅପରାଧର ଗମ୍ଭୀରତାକୁ ବିଚାର କରି ଓ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ଦୃଷ୍ଟିରୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟ ଇଚ୍ଛୁକ ନୁହଁନ୍ତି।
ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ଅଭିଯୋଗ କରିଥିଲେ ଯେ ଭରଦ୍ବାଜ ଏହି ଘଟଣାର ଆଉ ଜଣେ ଅଭିଯୁକ୍ତ ଦୀପକ କାର୍ ଚଳାଉଛନ୍ତି ବୋଲି କହି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଛନ୍ତି। ଯଦି ତାଙ୍କୁ ଜାମିନ ମିଳେ ତେବେ ତଦନ୍ତ ପ୍ରଭାବିତ ହୋଇପାରେ ।
ଓକିଲଙ୍କ କହିବାନୁସାରେ, ଭରଦ୍ବାଜ ମିଥ୍ୟା ଦାବି କରିଛନ୍ତି ଯେ ଦୀପକ ଖାନ୍ନା କାର ଚଳାଉଥିଲେ, କିନ୍ତୁ ଯାଞ୍ଚ୍ ବେଳେ ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଅମିତ ଗାଡି ଚଳାଉଥିଲେ ବୋଲି ଜଣାପଡ଼ିଥିଲା । ଏହି ମାମଲାରେ ପୋଲିସ ଜାନୁଆରୀ ୨ରେ ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା। ଚାରି ଦିନ ପୂର୍ବରୁ ଆଶୁତୋଷଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ସୋମବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।
